ବର୍ଷର ପ୍ରଥମ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ କାର୍ଯ୍ୟକର୍ତ୍ତା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଂସ୍କାର ଭାରତୀ କଳାହାଣ୍ଡି ପକ୍ଷରୁ ପବିତ୍ର ଶୁକ୍ଲ ଚୈତ୍ର ପ୍ରତିପଦା ତିଥିରେ ନର୍ଲା ଶ୍ରୀ ଶ୍ରୀ ବଳଭଦ୍ରେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ନବବର୍ଷ ପାଳିତ ହୋଇଯାଇଛି । ନର୍ଲା ଶିବ ମନ୍ଦିରରେ ପୂଜାପାଠ ପରେ ରାଷ୍ଟ୍ରୀୟ ନବ ବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରିଥିଲେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇ, ଉତ୍କଳ ପଶ୍ଚିମ ପ୍ରାନ୍ତର ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍ ତଥା ନର୍ଲାର ବରିଷ୍ଠ ନାଗରିକ ସୁବାସ ଚନ୍ଦ୍ର ଚାନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ପରିଡା, ତୀର୍ଥ ବୁଦ୍ଧିଆ, କ୍ଷୀରୋଦ ଚନ୍ଦ୍ର ପାତ୍ର, ମଧୁସୂଦନ ରାଉତ, ତପିନ୍ଦ୍ର ଗୌଡିଆ, ପର୍ଶୁରାମ ପଣ୍ଡା, ବଦ୍ରୀପ୍ରସାଦ ମିଶ୍ର, ଲକ୍ଷ୍ମଣ ବାଗ, ପ୍ରସନ୍ନ ଗଉଡ, ମୋହନ ଭଟ୍ଟ, ଶ୍ୟାମ ସୁନ୍ଦର ପଧାନ, ବାଞ୍ଝାନିଧି ପାତ୍ର, ଶଙ୍କର ଗଉଡ ଓ ଅନେକ କାର୍ଯ୍ୟକର୍ତ୍ତା । ଶ୍ରୀ ଶ୍ରୀ ବଳଭଦ୍ରେଶ୍ୱର ମନ୍ଦିର ପୂଜାରୀ ପଣ୍ଡିତ ସୁନାସୀର ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ସକାଳ ୭ ଘଣ୍ଟା ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କାର୍ଯ୍ୟକ୍ରମ ପରେ ସଂସ୍କାର ଭାରତୀର ନିଜସ୍ୱ ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ, ଅସୁରଗଡର ରାମାୟଣର ଶିଶୁ କଳାକାର ମାନେ, ଦୁଇଗୋଟି ଘୁମୁରା, ଗୋଟିଏ ସମ୍ପ୍ରଦା ଦଳ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂସ୍କାର ଭାରତୀର ୩୦୦ ରୁ ଉର୍ଦ୍ଧ୍ୱ କଳାକାର ଶୋଭାଯାତ୍ରାରେ ସାମିଲ ହୋଇ ନର୍ଲା ନଗର ପରିକ୍ରମା କରି ସେମାନଙ୍କ ଉତ୍କୃଷ୍ଟ କଳା ପ୍ରଦର୍ଶନ କରିଥିଲେ । ସଂସ୍କାର ଭାରତୀର କଳାକାର ମାନେ ନର୍ଲା ଶିବ ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ନର୍ଲା ନଗର ପରିକ୍ରମା କରି ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ଯାଏଁ ଶୋଭାଯାତ୍ରାରେ ଆସିଥିଲେ । ପଶ୍ଚାତ୍ୟ ସଭ୍ୟତା ପ୍ରତି ଆକୃଷ୍ଟ ନହୋଇ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଚୈତ୍ର ଶୁକ୍ଲ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରି ଦେଶର ସ୍ୱାଭିମାନକୁ ବଜାୟ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ଲୋକ କଳା ସଂଯୋଜକ ହରେକୃଷ୍ଣ ଭୋଇ ମତବ୍ୟକ୍ତ କରିଛନ୍ତି । ଭବାନୀପାଟଣା ସଂସ୍କାର ଭାରତୀ ମଧ୍ୟରେ ସାମିଲ ରହିଥିବା ନର୍ଲା ବ୍ଲକର ଲାଖଗୁଡା, ସରିଆଁ, ପାଣିମୁଣ୍ଡା, ନର୍ଲା, ବେହେରାପାଟି ସମେତ ଅନେକ ଗ୍ରାମର ସାଂସ୍କୃତିକ ଦଳ ଓ ସଦସ୍ୟ ମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ ସହ ସହଯୋଗ କରିଥିଲେ । ସେହିଭଳି ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ଠାରେ ମଧ୍ୟ ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ଅଧ୍ୟକ୍ଷତାରେ ଆଚାର୍ଯ୍ୟ/ ଆଚାର୍ଯ୍ୟା ଓ ଶିଶୁ ମାନଙ୍କୁ ନେଇ ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ନବ ବର୍ଷ ।