ସୋନପୁରକୁ ଇନଟାକ୍ ରାଜ୍ୟ ଆବାହକଙ୍କ ଆଗମନ

ଐତିହ୍ୟର ସୁରକ୍ଷା ଦିଗରେ କାମ କରିବାକୁ ଦେଲେ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ସୋନପୁର: ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନଟାକ୍ ର ଓଡିଶା ରାଜ୍ୟ ଆବାହକ ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀ ସଂପ୍ରତି ସୁବର୍ଣ୍ଣପୁର ଗସ୍ତ କରି ଇନଟାକ୍ ସୋନପୁର ଚେପ୍ଟରର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଭେଟି ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଓ ପ୍ରଚାର ପ୍ରସାର ଦିଗରେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଆଜି ସୋନପୁର ସର୍କିଟ୍ ହାଉସ ସଭାଗୃହରେ ସୋନପୁର ଇନଟାକର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଇନଟାକ ସଂରକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ମଲ୍ଲିକା ମିତ୍ର ଯୋଗଦେଇ ଐତିହ୍ୟର ସଂରକ୍ଷଣ ଦିଗରେ ଇନଟାକର ଭୂମିକା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ଇନଟାକ ସୋନପୁରର ପ୍ରସ୍ତାବ କ୍ରମେ ବୈଦ୍ୟନାଥର କାଲେଶ୍ଵର ମନ୍ଦିର ପୁନଃରୁଦ୍ଧାର ହୋଇପାରିଲେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରାଜେନ୍ଦ୍ର ପ୍ରସାଦ ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ସନ୍ତୋଷ ପାଢୀ, ସଂସ୍କୃତି ଗବେଷକ ଗଦାଧର ବାରିକ, ସୋନପୁର ଇନଟାକର ପୂର୍ବତନ ଆବାହକ ଶରତ ଶତପଥୀ, କ୍ରୀଡା ସଂଗଠକ ସୁଧାଶୁଂ ଶେଖର ମିଶ୍ର, ଇଞ୍ଜିନିୟର ସୁରେନ୍ଦ୍ର ମେହେର ପ୍ରମୂଖ ଆଲୋଚନାରେ ଭାଗନେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ସୋନପୁର ଇନଟାକର ସହଆବାହକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.