ନବଗଠିତ ଜିଲ୍ଲା ଉଦଘାଟନ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

୧୨ ଦିନ ଧରି ଜିଲାସ୍ତରରେ ପାଳିତ ହେଉଛି ଉଦଘାଟନୀ ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ନବଗଠିତ ୧୩ ଜିଲାକୁ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ. ଜଗନମୋହନ ରେଡ୍ଡୀ ସୋମବାର ଦିନ ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ ଆନ୍ଧ୍ର ଅଧୀନରେ ଥିବା ୧୩ଟି ଜିଲାକୁ ବିଭାଜନ କରି ୨୬ ଜିଲା କରାଯାଇଛି । ଏହାର ଉଦ୍‌ଘାଟନ ଉତ୍ସବ ୧୨ ଦିନ ଧରି ଜିଲାସ୍ତରରେ ପାଳନ କରାଯିବ ବୋଲି ରେଡ୍ଡୀ କହିଛନ୍ତି । ଅନ୍ୟପକ୍ଷରେ ଆନ୍ଧ୍ର ରାଜ୍ୟ ଅଧୀନରେ ଥିବା ପାର୍ବତୀପୁରମ ସବ୍‌ଡିଭିଜନକୁ ଜିଲାରେ ପରିଣତ କରି ପାର୍ବତୀପୁରମ୍‌ ମାନ୍ୟମ ତଥା ପଛୁଆ ଜିଲା ଭାବେ ଘୋଷଣା କରାଯାଇଛି । ଏବେ ଏହି ନୂତନ ଜିଲା ଅଧୀନରେ ଓଡ଼ିଶାର କୋଟିଆ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ପଞ୍ଚାୟତ ପ୍ରତି ଆଗାମୀ ଦିନରେ ଜିଲା ପ୍ରଶାସନର କିଭଳି ଆଭିମୁଖ୍ୟ ରହିବ ସେନେଇ ସମସ୍ତଙ୍କ ନଜର ରହିଛି ।‌ ଆନ୍ଧ୍ର କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଗ୍ରାମକୁ ନେଇ ନିଜ ରାଜ୍ୟର ପଞ୍ଚାୟତ ଭାବେ ନାମିତ କରିଛି । ଏଥିରେ ଆମ ପଞ୍ଚାୟତବାସୀ ନୂତନ ଜିଲା ପ୍ରଶାସନଠାରୁ ସବୁ କ୍ଷେତ୍ରରେ ଉପକୃତ ହେବେ ବୋଲି ୩ ପଞ୍ଚାୟତର ଆନ୍ଧ୍ର ସରପଞ୍ଚମାନେ କହିଛନ୍ତି । ନୂତନ ଜିଲା ପ୍ରଶାସନ ଯେକୌଣସି ସମୟରେ ଆମ ନିକଟରେ ପହଞ୍ଚିପାରିବ ବୋଲି ସେମାନେ କହିଛନ୍ତି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପାମୁଲା ପୁଷ୍ପାଶ୍ରୀଭାନି ଏବଂ ସ୍ଥାନୀୟ ବିଧାୟକ ଆଲାଜାଙ୍ଗି ଜଗାରାଓ ନୂତନ ଟ୍ରେଜେରି କାର୍ଯ୍ୟାଳୟ ମଧ୍ୟ ଉଦ୍‌ଘାଟନ କରିଥିଲେ ।ଅନ୍ୟପକ୍ଷରେ ନୂତନ ପାର୍ବତୀପୁରମ ମାନ୍ୟମ ଜିଲା ପ୍ରଶାସନର ଓଡ଼ିଶାର କୋଟିଆ ପଞ୍ଚାୟତ ଉପରେ କୌଣସି ପ୍ରଭାବ ରହିବ ନାହିଁ ବୋଲି ପଟ୍ଟାଙ୍ଗୀ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କହିଛନ୍ତି । କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଯେପରି ଚାଲିଥିଲା ତାହା ଆଗକୁ ମଧ୍ୟ ଜାରି ରହିବ । ସୀମାନ୍ତବାସୀଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଲାଗି ସବୁବେଳେ ଚେଷ୍ଟା ଜାରି ରହିବ ବୋଲି ସେ କହିଛନ୍ତି ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.