ନର୍ଲା ଉଦ୍ୟାନ ବିଭାଗ ଫାର୍ମରେ ନିଆଁ ଲାଗିଲା

ନିଆଁକୁ ଅୟତ୍ତ କଲେ ଅଗ୍ନି ବିଭାଗ କର୍ମଚାରୀ

ଅଳ୍ପକେ ବର୍ତ୍ତିଲା ଉଦ୍ୟାନ ବିଭାଗ ଅଫିସ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବେହେରାପାଟି ଠାରେ ରହିଥିବା ଏକମାତ୍ର ଉଦ୍ୟାନ ବିଭାଗର ଫାର୍ମରେ ଆଜି ମଧ୍ୟାହ୍ନ ୨ଟା ବେଳେ ନିଆଁ ଲାଗି ଯାଇଥିଲା । ରାମ ନବମୀ ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନେ ବେହେରାପାଟି ଶ୍ରୀରାମ ମନ୍ଦିରରେ ଠୁଳ ହୋଇ ରାମାୟଣ ଶୁଣୁଥିଲେ । ସେଥି ମଧ୍ୟରୁ ରମେଶ ନାଏକ ଭକ୍ତ ଉଦ୍ୟାନ ବିଭାଗ ଫାର୍ମ ପରିସରରେ ନିଆଁ ଲାଗିଯାଇଥିବା ଖବର ପାଇ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକଙ୍କୁ ଜଣାଇବା ପରେ ଶ୍ରୀ ନାଏକ ନର୍ଲା ଅଗ୍ନିଶମ ବିଭାଗ ଅଫିସକୁ ଫୋନ କରିଥିଲେ । ଅଗ୍ନିଶମ ବିଭାଗ ତରଫରୁ ଅଫିସ୍ ଇନଚାର୍ଯ ତାରିଣୀ ସେନ ମିର୍ଦ୍ଧାଙ୍କ ନେତୃତ୍ୱରେ ଚାରିଜଣ ନିଆଁ ଲିଭାଳି କର୍ମଚାରୀ ତୁରନ୍ତ ପଦକ୍ଷେପ ନେଇ ଉଦ୍ୟାନ ବିଭାଗ ଫାର୍ମରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲେ । ହେଲେ ଶେଷ ପର୍ଯ୍ୟାୟରେ ଉଦ୍ୟାନ ବିଭାଗ ଅଫିସ୍ ଡାହାଣପଟେ ନିଆଁ ମାଡି ଆସିଥିଲା । ସେତେବେଳକୁ ଅଗ୍ନି ନିର୍ବାପକ ଭ୍ୟାନରୁ ପାଣି ସରିଯାଇଥିଲା । ଅନ୍ୟପକ୍ଷେ ଭ୍ୟାନରେ ପାଣି ଭରିବା ପାଇଁ ଚାହିଁବାରୁ ଉଦ୍ୟାନ ବିଭାଗର ବୋରିଂ ରେ ଲାଗିଥିବା ମୋଟର ଖରାପ ହୋଇ ପଡିଥିବାରୁ ପାଣିର ବ୍ୟବସ୍ଥା ହୋଇ ପାରିଲା ନାହିଁ । ହେଲେ ଗଛରୁ କଞ୍ଚା ଡାଳ ସବୁ ଭାଙ୍ଗି ନିଆଁ ଲାଗିଥିବା ବୁଦା ଗୁଡିକୁ ବାଡେଇ ବାଡେଇ ନିଆଁ ଲିଭାଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ନିଆଁ ଉଦ୍ୟାନ ବିଭାଗ ଅଫିସ୍ ଯାଏଁ ପହଞ୍ଚି ସାରିଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ଠିକ୍ ସମୟରେ ଆସି ପହଞ୍ଚ ଯିବାରୁ ଅଳ୍ପକେ ନିଆଁ ଦାଉରୁ ବର୍ତ୍ତି ଯାଇଛି ଉଦ୍ୟାନ ବିଭାଗ ଅଫିସ୍ । ବେହେରାପାଟି ଗ୍ରାମର ଯୁବକ ଓ ପିଲାମାନେ ଏବଂ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନାଏକ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ । ୫୦ ଏକର ପରିଧି ବିଶିଷ୍ଟ ଉଦ୍ୟାନ ବିଭାଗ ଫାର୍ମ ପରିସରରେ ସୁଖିଲା ଘାସ ବୁଦା ସବୁ ରେ କୌଣସୀ ଗାଈ ଜଗୁଆଳ ପିଲା କିମ୍ବା ମହୁଲ ଗୋଟାଳୀ ମାନେ ଅସାବଧାନତା ବଶତଃ ନିଆଁ ଲଗେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏଥିରେ ନର୍ଲା ଉଦ୍ୟାନ ବିଭାଗ ଅଫିସ୍ କିମ୍ବା କୌଣସୀ ବଡ ମୂଲ୍ୟବାନ ଗଛର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ହେଲେ ଉଦ୍ୟାନଟିକୁ ସଫା ସୁତୁରା ନରଖି ଘାସ ବୁଦାରେ ଭରପୁର ରଖିଥିବା ଉଦ୍ୟାନ ବିଭାଗ ଦାଇତ୍ୱହୀନ ଅଧିକାରୀଙ୍କ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.