ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଜିଲ୍ଲା ସଂସ୍କୃତି ପରିଷଦ କୋରାପୁଟ, ତରୁଣ ପ୍ରଜ୍ଞା ଭାରତୀ ଜୟପୁର, ଆଦିବାସୀ ସଂସ୍କୃତି ଗବେଷଣା କେନ୍ଦ୍ର (ଜଗନ୍ନାଥ ମନ୍ଦିର) କୋରାପୁଟ, ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ (କୋଟସ) କୋରାପୁଟ ଏବଂ ଆଦିବାସୀ ସଂଗ୍ରହାଳୟ କୋରାପୁଟଙ୍କ ମିଳିତ ଆନୁକୂଲ୍ୟରେ ଆଦିବାସୀ ସଂଗ୍ରହାଳୟ କୋରାପୁଟ ପରିସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଗୋଷ୍ଠୀର କନ୍ୟାମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୋୟା, ଡଙ୍ଗରିଆ କନ୍ଧ, ପରଜା, ଦୁରୁଆ ଓ ଭୂମିଆ ସମ୍ପ୍ରଦାୟର କନ୍ୟାମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଉତ୍ତମ ପ୍ରଦର୍ଶନ କରିଥିବା କନ୍ୟାମାନଙ୍କୁ ଶାବରୀ ସୁକନ୍ୟା ସମ୍ମାନ- ୨୦୨୨ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶାବରୀ ସୁକନ୍ୟା ସମ୍ମାନ-୨୦୨୨ ଭାବେ ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ସାଇବାନୀ ୱାଡେକା, ଭୂମିଆ ଢେମସା ସମ୍ପ୍ରଦାୟର ସୁଜୟନ୍ତୀ ବାଲିଆ, ଦୁରୁଆ ସମ୍ପ୍ରଦାୟର ଭଗବତୀ ଦୁରୁଆ, ପରଜା ସମ୍ପ୍ରଦାୟର ହୀରା ମାଝୀ, କୋୟା ସମ୍ପ୍ରଦାୟର ଜିମେ କାବାସୀ ପ୍ରମୁଖଙ୍କୁ କୋରାପୁଟ ଆଦିବାସୀ ସଂଗ୍ରହାଳୟ ଖୋଲାମଞ୍ଚରେ ସମ୍ମାନିତ କରାଯାଇଛି ।
ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ କୋରାପୁଟର ନିର୍ଦେଶକ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୋରାପୁଟ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି ଏବଂ ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତିସୁଧା ଜେନା, ଆଦିବାସୀ ସଂଗ୍ରହାଳୟ କୋରାପୁଟର ନିର୍ଦେଶକ ତଥା ସମ୍ପାଦକ ଜଗନ୍ନାଥ ମନ୍ଦିର କୋରାପୁଟ ଡ. ଜଗବନ୍ଧୁ ସାମଲ, ତରୁଣ ପ୍ରଜ୍ଞା ଭାରତୀ ଜୟପୁରର ସଭାପତି ଡୂ. ଗଙ୍ଗାଧର ନନ୍ଦ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ଉମାକାନ୍ତ ଦାଶ ଯୋଗଦାନ କରି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ବେଶପୋଷାକ, ଭାଷା, ସାଂସ୍କୃତିକ ସ୍ୱତନ୍ତ୍ରତା, ପାରିବାରିକ ରୀତିନୀତି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ସମ୍ପାଦକ ଯଜ୍ଞେଶ୍ବର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚାନ୍ଦିନୀ ନିଶା ବେଗମ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପାରମ୍ପରିକ ରୀତିରେ ଆଦିବାସୀ ଦେବତାଙ୍କ ନିକଟରେ ଭକ୍ତି ସୁମନ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରେ ପରେ ଆଦିବାସୀ କନ୍ୟାମାନଙ୍କଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ବିଚାରକ ଭାବେ ଡ. ରାଜେନ୍ଦ୍ର ପାଢ଼ୀ, ଶ୍ରୀଯୁକ୍ତ ଜଗନ୍ନାଥ ରଥ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଢୀ, ଶ୍ରୀଯୁକ୍ତ କୁଳମଣି ଜେନା ଉପସ୍ଥିତ ରହି ଉତ୍ତମ ଶାବରୀ ସୁକନ୍ୟାମାନଙ୍କୁ ମନୋନୟନ କରିଥିଲେ ।କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଅତିଥିମାନଙ୍କଦ୍ୱାରା ଶାବରୀ ସୁକନ୍ୟା ସମ୍ମାନ ପ୍ରଦାନ କରାଯାଇ ଥିଲା । ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ରବି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଶ୍ରୀଯୁକ୍ତ ନାରାୟଣ ପଣ୍ଡା, ଡ. ପ୍ରୀତିଧାରା ସାମଲ, ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ ମୀନକେତନ ଦାଶ, କାର୍ଯ୍ୟକାରିଣୀ ସଭ୍ୟ ପ୍ରମୋଦ କୁମାର ରାଉଳ, ସାବିତ୍ରୀ ବେହେରା, ସବିତା ତ୍ରିପାଠୀ, ସୁବର୍ଣ୍ଣ କୁମାରୀ ଖିଲ, ଦୀପ୍ତି ମାଝି, ରାମ ଶଙ୍କର ଷଡଙ୍ଗୀ, ଲଷ୍ମୀକାନ୍ତ ମିଶ୍ରଙ୍କ ସମେତ ଜଗନ୍ନାଥ ମନ୍ଦିର, ଆଦିବାସୀ ସଂଗ୍ରହାଳୟ ଓ ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ କୋରାପୁଟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।