ସୁନୀଲ କୁମାର ଅଗ୍ରଓ୍ୱାଲ ପାଇଲେ ଉଦ୍ୟୋଗ ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଆ ବାର୍ତ୍ତାର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଓ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଅବସରରେ ରାଜ୍ୟର ଜଣେ ବିଶିଷ୍ଟ ଉଦ୍ୟୋଗପତି ସୁନୀଲ କୁମାର ଅଗ୍ରଓ୍ୱାଲଙ୍କୁ ‘ଉଦ୍ୟୋଗ ସମ୍ମାନ-୨୦୨୨’ରେ ସମ୍ମାନୀତ କରାଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସ୍ଥିତ ସ୍ବାଗତ ଆଇଟିସି ସମ୍ମିଳନୀ କକ୍ଷଠାରେ ଆୟୋଜିତ ଉକ୍ତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ତଥା ସଂସ୍କୃତି ଗବେଷକ ପରମେଶ୍ବର ମୁଣ୍ଡ ଓ ବିଶିଷ୍ଟ ବାଗ୍ମୀ ତଥା ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡଛିନା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ, କଳାହାଣ୍ଡି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ବିଶିଷ୍ଟ କବି ଡ. ଭବାନୀଶଙ୍କର ନିଆଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ବନଛୋର ପ୍ରମୁଖ ମଞ୍ଚାସୀନ ରହି ସୁନୀଲ କୁମାର ଅଗ୍ରଓ୍ୱାଲଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ପିତାଙ୍କ ପଦାଙ୍କ ଅନୁସରଣ କରି ସମାଜସେବାରେ ମନୋନିବେଶ କରିଛନ୍ତି। ଏହା ବ୍ୟତିରେକ ଜଣେ ସଫଳ ଉଦ୍ୟୋଗପତି ଭାବରେ ତାଙ୍କର ଯଥେଷ୍ଟ ସୁଖ୍ୟାତି ରହିଛି। ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେଇ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କର ଉଦ୍ୟୋଗ ମାଧ୍ଯମରେ ଶହ ଶହ ଯୁବକ କର୍ମ ସଂସ୍ଥାନ ପାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଡ଼ଃ ସାଧୁରାମ ଅଗ୍ରଓ୍ୱାଲ ଓଡ଼ିଆ ବାର୍ତ୍ତାର ଅନ୍ୟତମ ପୃଷ୍ଠପୋଷକ ଥିବାରୁ ସ୍ଵନକ୍ଷତ୍ର ଦିବସ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରଓ୍ୱାଲଙ୍କୁ ଉଦ୍ୟୋଗ ସମ୍ମାନରେ ସମ୍ମାନିତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.