ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଭାଇ ଭଉଣୀର ପବିତ୍ର ବନ୍ଧନ ହେଉଛି ରାକ୍ଷୀ। ରାକ୍ଷୀ ପିନ୍ଧି ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶୃତି ଦେଇଥାଏ ଭାଇ। କିନ୍ତୁ ଭାଇକୁ ରାକ୍ଷୀ ପିନ୍ଧାଇ ଘରକୁ ଫେରିବା ସମୟରେ ଏକ ସଡକ ଦୁର୍ଘଟଣାରେ ଦୁନିଆ ଛାଡି ଚାଲି ଯାଇଛନ୍ତି ଭଉଣୀ। ଏମିତି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ। ପ୍ରାପ୍ତ ସୂଚନା ଅନୁସାରେ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଂଚାୟତ ନିଚେମସ୍କା ଗ୍ରାମର ରଚନା ମାଝୀ (୨୩) ନିଜ ସାନ ଭଉଣୀ ଓ ସ୍ବାମୀ ଦାନ ମାଝୀଙ୍କ ସହ ଭବାନୀପାଟଣାରେ ପାଠ ପଢୁଥିବା ସାନ ଭାଇକୁ ଡମ୍ବରୁ ମାଝୀଙ୍କୁ ରାକ୍ଷୀ ପିନ୍ଧାଇବା ପାଇଁ ଆସିଥିଲେ। ଭବାନୀପାଟଣା ବିବିସି ପଡାର ଏକ ଭଡ଼ାଘରେ ରହି ପାଠ ପଢୁଥିବା ସାନ ଭାଇ ଡମ୍ବରୁ ମାଝୀଙ୍କୁ ଭଉଣୀ ରଚନା ରାକ୍ଷୀ ପିନ୍ଧାଇ ଥିଲେ। ରାକ୍ଷୀ ପିନ୍ଧା ସାରି ଫେରିବା ବାଟରେ ଭବାନୀପାଟଣା ଘୋଡାଘାଟ ଛକ ନିକଟରେ ବାଇକ ଚଲାଉଥିବା ସ୍ୱାମୀ ଦାନ ମାଝୀ ଭାରସାମ୍ୟ ହରାଇଥିଲେ, ଫଳରେ ରଚନା ରାସ୍ତାର ଏକ ଟ୍ରକ୍ ଚକତଳେ ପଡିଯାଇଥିବାବେଳେ ସ୍ୱାମୀ ଓ ଛୋଟ ଭଉଣୀ ରାସ୍ତାର ଅନ୍ୟ ପଟେ ପଡି ଯାଇଥିଲେ। ଗୁରୁତର ଆହତ ରଚନାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନାକୁ ସମସ୍ତଙ୍କୁ ନିଆ ଯାଇଥିଲା। ତେବେ ଡାକ୍ତର ଖାନାରେ ରଚନା ମାଝୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସ୍ୱାମୀ ଦାନ ମାଝୀଙ୍କ ଡାହାଣ ଗୋଡରେ ଆଘାତ ଲାଗିଥିବା ବେଳେ ଛୋଟ ଭଉଣୀ ଖଣ୍ଡିଆ ଖାବରା ହୋଇଥିବା ଜଣାପଡିଛି। ଟାଉନ ଥାନା ପୋଲିସ ପହଂଚି ଶବ ଯବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଘଟଣା ସ୍ଥଳରୁ ଟ୍ରକ୍ଟି ଫେରାର୍ ହୋଇ ଯାଇଥିବା ଜଣାପଡିଛି।





