ମୁଁ ଆଦିବାସୀ ବିରୋଧୀ ନୁହେଁ କି ଦଳବିରୋଧୀ ବି ନୁହେଁ -ଭବାନୀଶଙ୍କର ନିଆଲ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନାକୁ ଖଣି ଲିଜ୍ ଦିଆଯିବାକୁ ନେଇ ଭବାନୀପାଟଣା ଠାରେ ସାଇନିଂ କଳାହାଣ୍ଡି ଦ୍ବାରା ଆୟୋଜିତ ଜନ ସଂସଦ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରାକୁ ବିରୋଧ କରିଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ । ଏହି ଘଟଣାକ୍ରମକୁ ନେଇ କଳାହାଣ୍ଡିର ରାଜନୈତିକ ପାଣିପାଗ ସରଗରମ ରହିଛି । ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ଼ ଭବାନୀ ଶଙ୍କର ନିଆଲଙ୍କୁ ଏନେଇ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଓ ବିଜେଡି ପକ୍ଷରୁ ପ୍ରେସ୍ ମିଟ୍ ପରେ ଏବେ ଶ୍ରୀ ନିଆଲଙ୍କ ଦ୍ବାରା କାରଣ ଦର୍ଶାଅ ନୋଟିସ୍ ର ଜବାବ ସାମ୍ନାକୁ ଆସିଛି । ଶ୍ରୀ ନିଆଲ ନିଜକୁ ଆଦିବାସୀ ବିରୋଧୀ ନୁହେଁ କି ଦଳ ବିରୋଧୀ ନୁହେଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ବିଜୁ ଜନତା ଦଳର କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଶ୍ରୀ ନିଆଲ ଦେଇଥିବା ଉତ୍ତରରେ କହିଛନ୍ତି – ବିଗତ ୩୦ ବର୍ଷର ରାଜନୈତିକ ଗତିବିଧି ସହିତ ବିଭିନ୍ନ ନାଗରିକ ସଂଗଠନଗୁଡ଼ିକ ଦ୍ବାରା ସେ ଓତଃପ୍ରୋତ ଭାବେ ଜଡ଼ିତ ବୋଲି ଦର୍ଶାଇବା ସହ ଯେଉଁ ସଂଗଠନଗୁଡ଼ିକ ଜରିଆରେ ଜଣେ ସାଧାରଣ ନାଗରିକ ଭାବେ ସେ ବିଭିନ୍ନ ଜନସମସ୍ୟାକୁ ସରକାର ଓ ପ୍ରଶାସନ ନିକଟରେ ଉପସ୍ଥାପିତ କରିଥାଏ ବୋଲି ଉଲ୍ଲେଖ କରିଛନ୍ତି । ଶିଳ୍ପାୟନ ଦ୍ବାରା ନୂଆ ଓଡ଼ିଶା ଗଠନର ସ୍ବପ୍ନ ଦେଖା ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାର ସୁରକ୍ଷା କଥା ମଧ୍ୟ କୁହାଯାଉଛି । ଏପରିସ୍ଥଳେ ବିରୋଧାଭାସ ବଦଳରେ ସପକ୍ଷବାଦିତା ହେବା, ବିକାଶୋନ୍ମୋଖୀ ହେବା ଦଳୀୟ ଶୃଙ୍ଖଳା ଉଲ୍ଲଂଘନ କିମ୍ବା ଦଳ ଓ ଦଳମୁଖିଆଙ୍କ ପଦ ପ୍ରତିଷ୍ଠାରେ କୌଣସି ଆଞ୍ଚ ଆଣିବ ନାହିଁ ବୋଲି ସେ ଦର୍ଶାଇଛନ୍ତି । ଗତ ୩୦ ବର୍ଷ ମଧ୍ୟରେ ଆଦିବାସୀମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା, ଆଦିବାସୀ ବୀର ରେଣ୍ଡୋ ମାଝୀଙ୍କୁ ସହିଦ ମାନ୍ୟତା ପ୍ରଦାନ ସହିତ ତାଙ୍କ ସ୍ମ୍ରୁତିରକ୍ଷା ପାଇଁ ନିରନ୍ତର ଲଢ଼େଇ କରିବା ଭଳି ବିଭିନ୍ନ ପ୍ରସଙ୍ଗରେ ସେ ସ୍ବର ଉତ୍ତୋଳନ କରିଆସୁଥିବା ଉଲ୍ଲେଖ କରିଛନ୍ତି । ଗତ ମାର୍ଚ୍ଚ ୨୬ ତାରିଖ ଦିନ ସଭାରେ ତାଙ୍କ ସହିତ ଦଳର ଅନ୍ୟ ପଦପଦବୀଧାରୀ ଉପସ୍ଥିତ ଥିଲେ ସତ କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଦଳର ସଂକେତ, ପଦପଦବୀ ବ୍ୟବହାର କରିନଥିଲେ ଏବଂ ନିଜ ନିଜ ବକ୍ତବ୍ୟରେ ଦଳ ଓ ଦଳୀୟ ପ୍ରସଙ୍ଗ ସହିତ ବେଦାନ୍ତ ପ୍ରସଙ୍ଗକୁ ଯୋଡ଼ିନଥିଲେ ବୋଲି ସେ କହିଛନ୍ତି । ଏହାସହିତ ତାଙ୍କ କାର୍ଯ୍ୟକଳାପ ସରକାର କିମ୍ବା କୌଣସି ବ୍ୟକ୍ତିବିଶେଷ ଓ ସମୁଦାୟ ବିରୋଧରେ ଆଦୌ ନଥିଲା । ଜିଲ୍ଲାର ପ୍ରାକ୍ରୁତିକ ଓ ଖଣିଜ ସଂପଦର ବିନିଯୋଗ ଉପରେ ମୁଖ୍ୟତଃ ଫୋକସ୍ କରିବା ସହିତ ଜିଲ୍ଲାର ବିକାଶ ପାଇଁ ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଦାବିପତ୍ର ଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ସେଦିନର ସଭା, ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ଅନ୍ୟ ନାଗରିକ ସଂଗଠନଗୁଡ଼ିକର କାର୍ଯ୍ୟକ୍ରମ ଭଳି ଏକ ନିୟମିତ ପ୍ରକ୍ରିୟା ଏହାଦ୍ବାରା କୌଣସି ସମୁଦାୟ ଓ ବ୍ୟକ୍ତିବିଶେଷଙ୍କ ମାନହାନୀ ଘଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିବା ସହିତ ଏହା ଦ୍ବାରା ମୋ ଦଳ କିମ୍ବା ମୋ ସରକାରର କୌଣସି ଜନ ସମୁଦାୟ ପ୍ରତି ହେୟଭାବର ମଧ୍ୟ ପ୍ରଶ୍ନ ଉଠୁନି ବୋଲି ସେ ଦର୍ଶାଇଛନ୍ତି । ଏହାସତ୍ତ୍ବେ ତାଙ୍କର କୌଣସି କାର୍ଯ୍ୟକଳାପ ଯଦି ଆଦିବାସୀ କିମ୍ବା ଅନ୍ୟ ଜନସମୁଦାୟର ଭାବନାରେ ଆଘାତ ସୃଷ୍ଟି କରିଛି ବୋଲି ମନେ ହୁଏ, ତେବେ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଦଳର ରାଜ୍ୟ ପରିଷଦ ସଦସ୍ୟ ଭାବେ ଦଳୀୟ ନୀତି, ଆଦର୍ଶ ଓ ଦଳୀୟ ଶୃଙ୍ଖଳା ପାଳନ କରିବାରେ ସେ ସଂପୂର୍ଣ୍ଣ ଭାବେ ସତର୍କ ଓ ସଚେତନ ଏଣୁ ଦଳୀୟ ଶୃଙ୍ଖଳା ଭଙ୍ଗ କିମ୍ବା ଆଦିବାସୀ ବିରୋଧୀ ବୋଲି ତାଙ୍କୁ ଚିତ୍ରଣ କରାନଯାଉ ବୋଲି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଶ୍ରୀ ନିଆଲଙ୍କ ଏଇ ପ୍ରତ୍ୟୁତ୍ତର ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।






