ଅକ୍ସଫାମ୍‌ ଇଣ୍ଡିଆର ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ମାମଲା, ତଦନ୍ତ କରିବ ସିବିଆଇ !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ବିଶ୍ୱସ୍ତରୀୟ ଅଣଲାଭକାରୀ ସଂସ୍ଥା (ଏନ୍‌ଜିଓ) ଅକ୍ସଫାମ୍‌ର ଭାରତୀୟ ଶାଖା ଉପରେ ବିଦେଶୀ ପାଣ୍ଠି ଆଇନର ଉଲ୍ଲଂଘନ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରିବ ସିବିଆଇ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୁପାରିସ କରିଥିବା ଜଣାପଡ଼ିିଛି । ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ଆଇନ ଲାଗୁ ହେବା ପରେ ମଧ୍ୟ ଅକ୍ସଫାମ୍‌ ଇଣ୍ଡିଆ ବିଭିନ୍ନ ସଂସ୍ଥାକୁ ପାଣ୍ଠି ପ୍ରଦାନ କରିଥିବା କହିଛି ଗୃହ ମନ୍ତ୍ରାଳୟ । ଉଲ୍ଲେଖଯୋଗ୍ୟ; ବୈଦେଶିକ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ ଆଇନ ଏଭଳି କାରବାରକୁ ନିଷେଧ କରାଯାଇଛି। ସୂଚନା ଅନୁସାରେ, ଗତବର୍ଷ ଆୟକର ବିଭାଗର ଏକ ସର୍ଭେ ସମୟରେ ଅକ୍ସଫାମ୍‌ ଇଣ୍ଡିଆ, ଅନ୍ୟ ଆସୋସିଏସନ୍‌ କିମ୍ବା ଲାଭଜନକ କନସଲଟାନ୍‌ସି ସଂସ୍ଥା ପାଇଁ ପାଣ୍ଠି ପ୍ରଦାନ କରି ଏଫ୍‌ସିଆରଏକୁ ଏଡ଼ାଇବାକୁ ପ୍ରଚେଷ୍ଟା କରିଛି। ବଡ଼କଥା ହେଲା ସେଣ୍ଟର ଫର ପଲିସି ରିସର୍ଚ୍ଚର ସହଯୋଗୀ ଓ କର୍ମଚାରୀଙ୍କ ଜରିଆରେ କମିସନ ଆକାରରେ(ଧାରା ୧୯୪ଜେ ଅଧୀନରେ) ୨୦୧୯-୨୦ ଆର୍ଥିକ ବର୍ଷରେ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚକୁ ୧୨,୭୧,୧୮୮ ଟଙ୍କା ପ୍ରଦାନ କରିଥିବା ଅଣଲାଭକାରୀ ସଂସ୍ଥାର ଟିଡିଏସ୍‌ ତଥ୍ୟରୁ ଜଣାପଡ଼ିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଥିଙ୍କଟ୍ୟାଙ୍କ ସେଣ୍ଟର ଫର ପଲିସି ରିସର୍ଚ୍ଚ, ଯାହାର ଏଫ୍‌ସିଆରଏ ଲାଇସେନ୍‌ସକୁ ଗତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ବାତିଲ କରିଥିଲା। ଏଫ୍‌ସିଆରଏ ଲାଇସେନ୍‌ସ ରଦ୍ଦ ହେବାର ଅର୍ଥ ହେଉଛି କୌଣସି ସଂସ୍ଥା ଆଉ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବ ନାହିଁ। ତେବେ ଏହାପରେ ଗତବର୍ଷ ଜାନୁଆରୀରେ ଅକ୍ସଫାମ ଗୃହ ମନ୍ତ୍ରାଳୟରେ ଏକ ସଂଶୋଧନ ପିଟିସନ ଦାଖଲ କରିଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.