ଧରାପଡିଲା ଫେରାର୍ ବିଦେଶୀ ଚିତା ଓବାନ

ଓଡ଼ିଆ ବାର୍ତ୍ତା/ ଭୋପାଳ: ମଧ୍ୟପ୍ରଦେଶର କୁନୋ ଜଙ୍ଗଲରୁ ଫେରାର୍ ହୋଇଯାଇଥିବା ନାମିବିୟା ଚିତା ଓବାନକୁ ଧରିଲା ବନବିଭାଗ। ଚିତାକୁ କବ୍‌ଜା କରିବା ପରେ ଗୁରୁବାର ପୁଣିଥରେ ତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡି ଦିଆଯାଇଛି। ଏନେଇ କୋନୋ ଡିଏପ୍‌ଓ ପ୍ରକାଶ କୁମାର ସୂଚନା ଦେଇଛନ୍ତି। ଚିତାଟି ଗତ ୫ ଦିନ ତଳେ ଜଙ୍ଗଲରୁ ଫେରାର୍ ହୋଇଯିବା ପରେ ଏକ ଗାଁରେ ଦେଖାଯାଇଥିଲା। ଏହାପରେ ବନବିଭାଗ ଚିତାକୁ ଧରିବାକୁ ଯୋଜନା ଆରମ୍ଭ କରିଥିଲା। ଯୋଜନାମୁତାବକ ଶିବପୁରୀ ଜିଲ୍ଲାର ଏକ ଜଙ୍ଗଲରୁ ତାକୁ ଧରିବା ପରେ ପୁଣି କୁନୋ ଫେରାଇ ଅଣାଯାଇଛି।

ସୂଚନା ଅନୁସାରେ ଏପ୍ରିଲ ୨ ତାରିଖରେ ଓବାନ କୁନୋ ଉଦ୍ୟାନ ସୀମା ଡେଇଁ ଖସିଯାଇଥିଲା। କୁନୋ ନ୍ୟାସ୍‌ନାଲ ପାର୍କରୁ ୨୦ କିମି ଦୂରରେ ଥିବା ବିଜୟପୁର ଝର ବରୋଦା ଗାଁରେ ତାକୁ ଦେଖିବାକୁ ମିଳିଥିଲା। ଏହା ପରଦିନ ପରୱାତି ବରୋଦ ଗାଁରେ ଏକ ନଈରେ ଚିତାଟି ପାଣି ପିଉଥିବାର ଦେଖାଯାଇଥିଲା।

ମଙ୍ଗଳବାର ଓବାନ ଯଦିଓ କୁନୋ ପାର୍କ ସୀମାକୁ ଆସିଥିଲା। ହେଲେ ଜଙ୍ଗଲ ଭିତରେ ନ ପଶି ସେ ପୁଣି ନହଜଦା ସିଲପୁରା ଏରିଆର ବଫର ଜୋନ୍‌କୁ ପଳାଇ ଯାଇଥିଲା। ପୁଣି ଏଇଠୁ ସେ ପୋହରି ତହସିଲର ପିପରୱାସ ଜଙ୍ଗଲକୁ ଚାଲିଯାଇଥିଲା। ସେଠାରେ ୨ ଦିନ ରହିବା ପରେ ବୁଧବାର ଏକ କୃଷ୍ଣ ସାର ମୃଗକୁ ମାରି ଖାଇଥିଲା।

ୟା ଭିତରେ ୫ ଦିନ ବିତିଯାଇଥିଲେ ବି ଓବାନ କୁନୋ ପାର୍କକୁ ନ ଫେରିବାରୁ ବନ ବିଭାଗ କର୍ମଚାରୀ ଗୁରୁବାର ରାମପୁର ଗାଁ ପାଖରେ ତାକୁ ଟ୍ରାଙ୍କୁଲାଇଜ୍ କରି ପୁଣିଥରେ କୁନୋ ପାର୍କକୁ ଫେରାଇ ଆଣିଛନ୍ତି ବୋଲି ଡିଏପ୍‌ଓ ପ୍ରକାଶ କୁମାର କହିଛନ୍ତି।

ସୂଚନା ଥାଉକି ଭାରତରେ ବିଲୁପ୍ତ ଚିତାକୁ ପୁଣିଥରେ ବଢ଼ାଇବା ପାଇଁ ଭାରତ ସରକାର ପ୍ରୋଜେକ୍ଟ ଚିତା ଯୋଜନାରେ ଆଫ୍ରିକୀୟ ଦେଶରୁ ଚିତା ଆଣୁଛନ୍ତି। ମୋଟ ୨୦ ଚିତାରୁ ପ୍ରଥମ ପର୍ଯ୍ୟୟରେ ଗତବର୍ଷ ସେପ୍ଟେମ୍ବରରେ ୮ଟି ଚିତା ଆସିଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀରେ ଆଉ ୧୨ ଚିତା ଆସିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.