ଦୈବାସୁର ସମ୍ପଦ୍ ବିଭାଗ ଯୋଗଃ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ରୀତା ଅପରାଜିତା ମହାନ୍ତିଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ନେହ ମିଶ୍ର ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶ୍ରୀମତୀ ପ୍ରଣତି ମହାପାତ୍ର ଅତିଥି ପରିଚୟ,ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ । ଷୋଡ଼ଶ ଅଧ୍ୟାୟ ଦୈବାସୁର-ସମ୍ପଦ୍- ବିଭାଗ ଯୋଗଃର ଆଠଟି ଶ୍ଲୋକ ଖୁବ ସୁନ୍ଦର ଭାବରେ ଆଲୋଚନା କରିଥିଲେ ବଲାଙ୍ଗୀର ଜିଲ୍ଲାର ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମହୋଦୟ । ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଦାଶ ମହାଭାଗ । ବନଲକ୍ଷ୍ମୀ ମହାନ୍ତି, ଗୀତାଞ୍ଜଳି ପୃଷ୍ଟି, ପ୍ରିୟମ୍ବଦା ସାମଲ,ବିନୋଦିନୀ ଦାଶ ମହୋଦୟା ମାନେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ ।
ପଣ୍ଡିତ ଶ୍ୟାମସୁନ୍ଦର ଦାଶଙ୍କର ଆଲୋଚନା ଥିଲା ଏହିପରି-
ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ବରମ୍
ଅପରସ୍ପରସମ୍ଭୁତଂ କିମନ୍ୟତ୍କାମହୈତୁକମ୍ ।।
ଆସୁରୀ ଗୁଣ ସମ୍ପନ୍ନ ଯୁକ୍ତ ବ୍ୟକ୍ତି ଜଗତକୁ ଅସତ୍ୟ, ଧର୍ମରୂପକ ପ୍ରତିଷ୍ଠାହୀନ,ଈଶ୍ୱରହୀନ ବୋଲି ବିବେଚନା କରନ୍ତି ।ସେମାନଙ୍କ ମତରେ ସ୍ତ୍ରୀ-ପୁରୁଷର ମୈଥୁନରୁ ଜଗତର ଉତ୍ପତ୍ତି ହୋଇଛି ।କେବଳ କାମ ପ୍ରବୃତ୍ତିରୁ ଜଗତ ,ଅନ୍ୟ କିଛି ନୁହେଁ । ସେହି ଅପବିତ୍ର କର୍ମା ଲୋକମାନେ ଦୁଷ୍କୃଣୀୟ କାମନାକୁ ଆଶ୍ରୟ କରି ଦମ୍ଭ,ଅଭିମାନ ଓ ଗର୍ବ ଯୁକ୍ତ ହୋଇ ମୋହରେ ମିଥ୍ୟା ସିଦ୍ଧାନ୍ତ ଅନୁସାରେ ଆଚରଣ ପ୍ରଦର୍ଶନ କରନ୍ତି । ମୁଁ ହିଁ ସବୁକିଛି । ମୁଁ ଶତୃମାନଙ୍କୁ ହତ କରିବି,ମୁଁ ଈଶ୍ୱର, ଭୋଗୀ,ସିଦ୍ଧ ଇତ୍ୟାଦି ଅଜ୍ଞାନର ବିମୋହିତ ହୋଇ, ନାନା ଚିନ୍ତାରେ ଭ୍ରାନ୍ତ ଚିତ୍ତହୋଇ,ମୋହ ଜାଲରେ ବାନ୍ଧି ହୋଇ, କାମ ଭୋଗରେ ଆସକ୍ତି ଥାଇ ନର୍କରେ ପତିତ ହୁଅନ୍ତି ।
ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୫ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।