ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଚଳିତ ଆଇପିଏଲର ସିଜିନର  ଦ୍ୱାଦଶ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ ଦଳ ଏକତରଫା ଭାବେ ମ୍ୟାଚ ବିଜୟୀ ହୋଇଛି । ୧୫୮ ରନ୍‌ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ। କିନ୍ତୁ ୧୮.୧ ଓଭରରେ ଦଳ ଟାର୍ଗେଟ ପୂରଣ କରି ୭ଟି ଓ୍ୱିକେଟରେ ମ୍ୟାଚରେ ବିଜୟୀ ହୋଇଛି। ଚେନ୍ନାଇ ପାଇଁ ଅଜିଙ୍କ୍ୟ ରାହାଣେ ୬୧ ରନର ଭଲ ଇନିଂସ ଖେଳିଥିଲେ। ଏହି ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ୧୫୮ ରନ୍‌ର ଟାର୍ଗେଟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗସ ଦଳ ଅତ୍ୟନ୍ତ ଖରାପ ଆରମ୍ଭ କରିଥିଲା । ​​ଯେଉଁଥିରେ ପ୍ରଥମ ଓଭରର ଚତୁର୍ଥ ବଲରେ ଡିବୋନ୍ କାନୱେଙ୍କ ୱିକେଟ୍ ହରାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଅଜିଙ୍କ୍ୟ ରାହାଣେ ପିଚ୍‌ରେ ରନ୍ କରିବା ଆରମ୍ଭ କରିଥିଲେ। ରାହାଣେ ରିତୁରାଜ ଗାଏକୱାଡଙ୍କ ସହ ପ୍ରଥମ ୬ ଓଭରରେ ଦଳର ସ୍କୋରକୁ ୬୮ ରନରେ ନେଇଥିଲେ। ଏହା ସହ ରାହାଣେ ମାତ୍ର ୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଗାଏକୱାଡଙ୍କ ସହ ମିଶି ରାହାଣେ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୪୪ ବଲରେ ୮୨ ରନର ପାର୍ଟନରସିପ୍ ଖେଳିଥିଲେ। ଏହାସହ ମ୍ୟାଚକୁ ଏକପାଖିଆ କରି ଦେଇଥିଲେ। ୭ଟି ଚୌକା ଓ ୩ଟି ଛକା ସହାୟତାରେ ୨୭ ବଲରେ ୬୧ ରନର ଚମତ୍କାର ଇନିଂସ ଖେଳିବା ପରେ ଅଜିଙ୍କ୍ୟ ରାହାଣେ ପୀୟୁଷ ଚାୱଲାଙ୍କ ବୋଲକୁ ସାମ୍ନା କରିନପାରି ଆଉଟ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା ଯେଉଁଥିରେ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଏହି ମ୍ୟାଚରେ ଇଶାନ କିଶନ ୩୨ ରନ କରିଥିବା ବେଳେ ଟିମ ଡେଭିଡ ମୁମ୍ବାଇ ପାଇଁ ୩୧ ରନ କରିଥିଲେ। ଚେନ୍ନାଇ ପାଇଁ ମ୍ୟାଚରେ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ଏବଂ ଅନ୍ୟାମାନେ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.