ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୧୨୪-ଏ ଦେଶଦ୍ରୋହ ସମ୍ପର୍କିତ ଆଇନକୁ ବୁଝାଏ । ଏହି ଆଇନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସରକାରୀ ବିରୋଧୀ କିଛି ଲେଖନ୍ତି କିମ୍ବା କଥାବାର୍ତ୍ତା କରନ୍ତି, ଏପରି ପ୍ରସଙ୍ଗକୁ ସମର୍ଥନ କରନ୍ତି ଯାହା ଜାତୀୟ ପ୍ରତୀକକୁ ଅପମାନିତ କରୁଥିବ ଏବଂ ସମ୍ବିଧାନକୁ ନିଚା ଦେଖାଇବାକୁ ଚେଷ୍ଟା କରୁଥିବ ତେବେ ଏହା ଦେଶଦ୍ରୋହ ବୋଲି ସରକାରୀ ଭାଷାରେ କୁହାଯାଏ । ଏହା ବ୍ୟତୀତ, ଯଦି ଜଣେ ବ୍ୟକ୍ତି ଅଜାଣତରେ ଜାତୀୟ ବିରୋଧୀ ସଂଗଠନ ବିରୁଦ୍ଧରେ ସମ୍ପର୍କ କରନ୍ତି କିମ୍ବା କୌଣସି ପ୍ରକାରେ ସହଯୋଗ କରନ୍ତି, ତେବେ ସେ ମଧ୍ୟ ଦେଶଦ୍ରୋହର ଅଧୀନରେ ଆସନ୍ତି । ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ସୁପ୍ରିମକୋର୍ଟରେ ପୂର୍ବରୁ ଅନେକ ପିଟିସନ ଦାଖଲ କରାଯାଇଛି । ବ୍ରିଟେନରେ ଏହାକୁ ୨୦୦୯ ରେ ରଦ୍ଦ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୩୦ରେ ଏହାକୁ ପାକିସ୍ତାନର ଲାହୋର ହାଇକୋର୍ଟ ରଦ୍ଦ କରିଛନ୍ତି । ତେଣୁ ଭାରତ ଏବେ ଦେଶଦ୍ରୋହ ନିୟମକୁ ହଟାଇବ କି ବୋଲି ପ୍ରଶ୍ନ ଉଠିଛି । ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦୨୧ରେ ତତ୍କାଳୀନ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ଏହି ପ୍ରସଙ୍ଗରେ କହିଥିଲେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶଦ୍ରୋହ ଆଇନ କାହିଁକି ଆବଶ୍ୟକ ? ସେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମକୁ ଦମନ କରିବା ପାଇଁ ବ୍ରିଟିଶମାନେ ଏହି ଆଇନ ଆଣିଛନ୍ତି । ସେତେବେଳେ ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଏହାକୁ ରଦ୍ଦ କରିବା ପରିବର୍ତ୍ତେ ଦେଶଦ୍ରୋହ ଆଇନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଜିଦ ଧରିଥିଲେ ।
ଦୀର୍ଘ ଦିନ ଧରି ‘ଦେଶଦ୍ରୋହ ଆଇନ’ରେ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଛି । ଏପରିକି ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା । ଏହା ଉପରେ କେନ୍ଦ୍ର ସରକାର କହିଛନ୍ତି ଯେ ‘ଦେଶଦ୍ରୋହ ଆଇନ’ର ଦଣ୍ଡବିଧାନ ବ୍ୟବସ୍ଥା ଉପରେ ପୁନର୍ବିଚାର କରୁଛନ୍ତି । ଏହି ପ୍ରକ୍ରିୟା ଉନ୍ନତ ପର୍ଯ୍ୟାୟରେ ଅଛି । ଏହା ପରେ ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ସ୍ଥଗିତ ରଖିଛନ୍ତି । ଏହି ଆଇନ ସମ୍ପର୍କରେ ସୁପ୍ରିମକୋର୍ଟରେ ୧୬ ଟି ଆବେଦନ କରାଯାଇଛି । ଯେଉଁଥିରେ ଦଣ୍ଡବିଧାନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ୧ ମଇ ୨୦୨୩ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ଜେବୀ ପର୍ଦୀୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ବେଞ୍ଚକୁ କହିଛନ୍ତି ଯେ ସରକାର ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ପୁନଃ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭେଙ୍କଟରମଣୀ କହିଛନ୍ତି ଯେ ପରାମର୍ଶ ପ୍ରକ୍ରିୟା ଉନ୍ନତ ପର୍ଯ୍ୟାୟରେ ଅଛି ଏବଂ ଏହା ସଂସଦ ଯିବା ପୂର୍ବରୁ ତାଙ୍କୁ ଦେଖାଯିବ । ମୌସୁମୀ ଅଧିବେଶନ ପରେ ଏହାର ଶୁଣାଣି ପାଇଁ ସେ ବେଞ୍ଚକୁ ଅନୁରୋଧ କରିଛନ୍ତି । କିନ୍ତୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶୁଣାଣି ପାଇଁ ବେଞ୍ଚ ଏହି ମାମଲାକୁ ସ୍ଥଗିତ କରିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ଓକିଲ ଗୋପାଳ ସଙ୍କନାରାୟଣନ ଆରମ୍ଭରୁ ଏହି ସମସ୍ୟାର ସମାଧାନ ପାଇଁ ସାତଜଣିଆ ଖଣ୍ଡପୀଠ ଗଠନ କରିବାକୁ ବେଞ୍ଚ ନିକଟରେ ଦାବି କରିଥିଲେ । ଏହା ଉପରେ ବେଞ୍ଚ କହିଛନ୍ତି ଯେ ଯଦି ଏହି ମାମଲା ୭ ଜଣ ବିଚାରପତିଙ୍କ ନିକଟକୁ ଯିବାକୁ ପଡେ, ତେବେ ପ୍ରଥମେ ଏହାକୁ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ ପଡ଼ିବ ।
ଉଲ୍ଲେଖନୀୟ ବିଷୟ ହେଲା ଏବେ ଦେଶର ବିଭିନ୍ନ ଅଦାଲତରେ ୮୦୦ରୁ ଉର୍ଦ୍ଧ୍ବ ଦେଶଦ୍ରୋହ ମାମଲା ବିଚାର ପାଇଁ ପଡି ରହିଥିବା ବେଳେ ଏଭଳି ମାମଲାରେ ୧୩ ହଜାରରୁ ଉର୍ଦ୍ଧ୍ବ ଲୋକ ଜେଲରେ ରହିଛନ୍ତି । ଏହି ଆଇନର ସମୀକ୍ଷା ନ ହେବା ପର୍ଯ୍ୟନ୍ତ ଆଉ ସାରା ଦେଶରେ ଦେଶଦ୍ରୋହ ମାମଲା ଦାୟର କରାଯାଇ ପାରିବ ନାହିଁ । ବିଭିନ୍ନ କୋର୍ଟରେ ପଡି ରହିଥିବା ଏ ସଂକ୍ରାନ୍ତୀୟ ମାମଲା ଗୁଡିକର ବିଚାର ଉପରେ ମଧ୍ୟ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏଭଳି ଅପରାଧ ଏହି ଆଇନ ଅନୁଯାୟୀ ଗିରଫଦାରୀ କରାଯାଉ ନାହିଁ ।