ଝଂଜାବତୀ ମହିଳା ୱାକର୍ସ କ୍ଳବ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ

ଡାକ୍ତର ଜୟଦେବ ଏବଂ ଡାକ୍ତର ପ୍ରେମ କୁମାରଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଇଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ଡାକ୍ତରଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇବା ପାଇଁ ୧୯୯୧ମସିହାରୁ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ମହାନ ଚିକିତ୍ସକ ଭାରତରତ୍ନ ଡାକ୍ତର ବିଧାନଚନ୍ଦ୍ର ରାଏଙ୍କ ସ୍ମୃତି ଚାରଣରେ ଦେଶରେ ପାଳିତ ହୋଇ ଆସୁଛି ଜାତୀୟ ଡାକ୍ତର ଦିବସ । ଏହି ପରିପ୍ରେକ୍ଷୀରେ ରାୟଗଡା ସହରରେ ଦୀର୍ଘ ବର୍ଷ ଧରି ସହରବାସୀଙ୍କୁ ଡାକ୍ତରୀ ସେବା ଯୋଗାଇ ଆସୁଥିବାରୁ ୨ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ରାୟଗଡା ଝଂଜାବତୀ ମହିଳା ୱାକର୍ସ କ୍ଳବ । ଗଂଜାମ ଜିଲ୍ଳାର ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକଲ କଲେଜରେ ଡାକ୍ତରୀ ଶିକ୍ଷା ଲାଭ କରି ୧୯୭୦ ମସିହାରୁ ଡାକ୍ତର ଭାବେ କାର୍ଯ୍ୟ ଆରମ୍ଭ କରି ଆଜି ଯାଏଁ ଲୋକଙ୍କୁ ନିରବିଚ୍ଛନ ଭାବେ ଡାକ୍ତରୀ ସେବା ଯୋଗାଇ ଆସୁଥିବା ତଥା ୧୯୯୭ ମସିହାରେ ସମ୍ମାନଜନକ ଗାନ୍ଧୀ ଆଡ୍ୱାର୍ଡରେ ସମ୍ମାନୀତ ହୋଇଥିବା ଅବସରପ୍ରାପ୍ତ ଡାକ୍ତର ଜୟଦେବଙ୍କୁ ନେହୁରୁ ନଗର ତୃତୀୟ ଲାଇନରେ ଥିବା ତାଙ୍କ କ୍ଳିନିକ୍ ଠାରେ କ୍ଳବ ପକ୍ଷରୁ ଫୁଲତୋଡା ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପାଥି କଲେଜରେ ଶିକ୍ଷା ଲାଭ କରି ୧୯୯୨ ମସିହାରୁ ଅଦ୍ୟାବଧି ରାୟଗଡା ସହରବାସୀଙ୍କୁ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦାନ କରି ଡାକ୍ତରୀ ସେବା ଯୋଗାଇ ଆସୁଥିବା ଡାକ୍ତର ପ୍ରେମ କୁମାରଙ୍କୁ ଗୈାତମ ନଗର ଛକ ସ୍ଥିତ ତାଙ୍କ କ୍ଳିନିକ୍ ଠାରେ ଫୁଲତୋଡା ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝଂଜାବତୀ ମହିଳା ୱାର୍କସ କ୍ଳବ ସଭାପତି ଶ୍ରୀମତି ଅରୁଣା ବେହେରା,ସଂପାଦିକା ରଶ୍ମିତା ପଣ୍ଡା,କୋଷାଧ୍ୟକ୍ଷା ଶ୍ରୀମତି ନମିତା ପାଢୀ, ଉପସଭାପତି ଶ୍ରୀମତି ସେନାପତି ସନ୍ତୋଷୀ ଏବଂ ଶ୍ରୀମତି ସୁଜାତା ମାଦଳା ପ୍ରମୁଖ ଉପସ୍ଥିତ ରହି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ତାଙ୍କ ସେବାରେ ମୃତ୍ୟୁମୁଖରେ ପଡିଥିବା ରୋଗୀ ମଧ୍ୟ ସୁସ୍ଥ ହୋଇ ଯାଇଥାଏ । ତେଣୁ ସମାଜରେ ଡାକ୍ତରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଅଛି । ଏହି ଡାକ୍ତରୀ ସେବା ପାଇଁ ଆଜି ଏକ ସୁସ୍ଥ ସମାଜ ଗଠନ ହୋଇପାରିଛି ବୋଲି କ୍ଳବ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.