ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର, ସମାନ ନାଗରିକ ସହିଁତା ଏବଂ ସେମାନଙ୍କ ବିରୁଦ୍ଧରେ ସାଂସଦରେ ପ୍ରଣୟନ କରାଯାଉଥିବା ଆଇନ୍ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଆହ୍ୱାନରେ ସୋମବାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ପାଳନ କରାଯାଇଛି। ଏହାକୁ ସମର୍ଥନ ଜଣାଇ କୋକସରା ବ୍ଲକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଭାପତି ଉପେନ୍ଦ୍ର ଶବରଙ୍କ ନେତ୍ତୃତ୍ଵରେ ୨୬ନମ୍ବର ଜାତୀୟ ରାଜପଥର କୋକସରା ଥାନା ସମ୍ମୁଖରେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରାଯାଇଥିଲା। ଏହାର ପ୍ରଭାବରେ ଦୀର୍ଘ ୩ଘଣ୍ଟା ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଥିଲା। ବନ୍ଦ ପାଳନରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଖିରସିନ୍ଧୁ ବୋଡ଼କିଆ, ଏଓଏସସିଏଫ୍ କଳାହାଣ୍ଡି କୋକସରା ବ୍ଲକ ସଭାପତି କିଶୋର ଚନ୍ଦ୍ର ନାଏକ, କଳାହାଣ୍ଡି, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ସଭାପତି ଦୁର୍ଯ୍ୟୋଧନ ଜାଲ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଆଦିବାସୀ ସଂଘ ପକ୍ଷରୁ କୋକସରା ବ୍ଲକ ସଭାପତି ହେମନ୍ତ ମାଝୀଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରି ଭାରତ ବନ୍ଦକୁ ସଫଳ କରାଯାଇଥିଲା। ବନ୍ଦ ପାଳନରେ ଆଦିବାସୀ ସଂଘ ଜିଲ୍ଲା ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ଜିଲ୍ଲା ଉପ ସଭାପତି ନିତ୍ୟାକାନ୍ତ ମାଝୀ, ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ମନରଞ୍ଜନ ବାଣୁଆ, ସନ୍ଥ ନାଏକ, ରାଜେନ୍ଦ୍ର ନାଏକ, ବ୍ରଜରାଜ ନାଏକ ସମେତ ଅନେକ ଆଦିବାସୀ ନେତୃ ମଣ୍ଡଳୀ ସାମିଲ ହୋଇଥିଲେ।