କ୍ରିକେଟ ନିଶା; ଅକ୍ସିଜେନ ସିଲିଣ୍ଡର ପିଠିରେ ବାନ୍ଧି ଖେଳିଲେ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଯାହାର ଭଲ ପାଇବା ଅଛି ସେ ସବୁ କିଛି ବାଧା ଅତିକ୍ରମ କରିଯିବ । ଜଣେ ୮୩ ବର୍ଷୀୟ କ୍ରିକେଟରଙ୍କ ପାଖରେ ଏହି ନିଶା ଦେଖିବାକୁ ମିଳିଛି । ଏକ ପ୍ରଦର୍ଶନୀ ମ୍ୟାଚରେ ସ୍କଟଲାଣ୍ଡର ଆଲେକ୍ସ ଷ୍ଟିଲେ ଗ୍ୟାସ ସିଲିଣ୍ଡର ପିଠିରେ ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ୱିକେଟ କିପର ଦାୟିତ୍ୱ ସେ ଏହି ମ୍ୟାଚରେ ତୁଲାଇଥିଲେ । ସେ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଖେଳିବା ପାଇଁ ଡାକ୍ତର ମନା କରିଥିଲେ । ମାତ୍ର ସେ ମାନି ନ ଥିଲେ, ଦୀର୍ଘ ଦିନ ପରେ ନିଜ ବନ୍ଧୁମାନଙ୍କ ସହ ଖେଳିବା ଉନ୍ମାଦନାକୁ ଚାପିପାରି ନ ଥିଲେ । ଫୋରଫାରଶାୟର କ୍ରିକେଟ କ୍ଲବର ସେ ଏବେ ବି ସଦସ୍ୟ ଅଛନ୍ତି । ସ୍କଟଲାଣ୍ଡ ପକ୍ଷରୁ ସେ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି ।

୧୯୬୦ରୁ ୧୯୮୦ ପର୍ଯ୍ୟନ୍ତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ । ୧୪ ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୬୨୧ ରନ ସଂଗ୍ରହ କରିଛନ୍ତି । ୱିକେଟ କିପିଂ କରି ସେ ୧୧ କ୍ୟାଚ ଓ ୨ଟି ଷ୍ଟମ୍ପିଂ କରିଛନ୍ତି । ଇଡିଓପାଥିକ ପୁଲମୋନାରୀ ଫାଇବ୍ରୋସିସ ରୋଗରେ ଆକ୍ରାନ୍ତ ହେବା ପରେ କ୍ରିକେଟଠାରୁ ଦୂରେଇ ଯାଇଥିଲେ । ମୋ ଜୀବନ କ୍ରିକେଟ ପାଇଁ ଉତ୍ସର୍ଗୀକୃତ । ଯେ ପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ମିଳିବ ମୁଁ ଖେଳିବି ବୋଲି ସେ କହିଛନ୍ତି । ଷ୍ଟିଲେଙ୍କ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.