ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅଧିନସ୍ଥ ରୁପ୍ରାରୋଡ ବସ୍ତିରେ ଜାଲ୍ ନୋଟ୍ ଘୁରି ବୁଲୁଥିବା ଆଲୋଚନା ଜୋର୍ ଧରିଛି। ଏହାକୁ ନେଇ ଜନସାଧାରଣ ଚିନ୍ତିତ ଥିବାବେଳେ ଦୋକାନୀମାନେ ନୋଟ୍ ନେବା ସମୟରେ ଦଶଥର ଓଲଟ ପାଲଟ କରି ଦେଖୁଛନ୍ତି। ଏହି ବସ୍ତିକୁ ୧୦୦ ଓ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଆସିଥିବା ଚର୍ଚ୍ଚା ଆଲୋଚନା ଜୋର ଧରିଛି। ରୁପ୍ରାରୋଡ ସହ କଣ୍ଟାବାଞ୍ଜି, ଅମ୍ବାଦୋଲା, କେସିଙ୍ଗା, ରାୟଗଡ଼ା, ମୁନିଗୁଡା, ଭବାନୀପାଟଣା, ରାୟପୁର ଆଦି ସ୍ଥାନର ନିବିଡ଼ ବ୍ୟବସାୟୀକ ସଂପର୍କ ରହିଛି। ପ୍ରତିଦିନ ଏହି ସ୍ଥାନକୁ ଉପରୋକ୍ତ ସ୍ଥାନସବୁ ସମେତ ବାହାର ରାଜ୍ୟର ମାଲବାହୀ ଯାନ ବାହାନ ଯିବା ଆସିବା କରିଥାଏ। ଦୈନିକ ଲକ୍ଷ ଲକ୍ଷ ଟଙ୍କାର କାରବାର ମଧ୍ୟ ହୋଇଥାଏ। ଏସବୁ ମଧ୍ୟରେ ଜାଲ୍ ନୋଟ୍ ବଜାରରେ କାୟା ବିସ୍ତାର କରୁଥିବା ଖବର ଦୋକାନୀ, ଖାଉଟି ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ରୁପ୍ରାରୋଡର ଜଣେ ଯୁବକ ଜାଲ୍ ନୋଟ୍ କାରବାରର ମାଷ୍ଟର ମାଇଣ୍ଡ ବୋଲି ସଂଦେହ କରୁଛନ୍ତି ବସ୍ତି ବାସିନ୍ଦା। ଜାଲ୍ ନୋଟ୍ କାରବାର ଏକ ବେନିୟମ କାମ ହୋଇଥିବାବେଳେ ରାତାରାତି କୋଟିପତି ହୋଇଯିବା ସ୍ବପ୍ନ ଦେଖି ଯୁବପିଢି ଏହି ଅନୈତିକ କାର୍ଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ନିକଟରେ କେସିଙ୍ଗା ପୋଲିସ ଷ୍ଟେସନରେ ଲକ୍ଷ ଲକ୍ଷ ଟଙ୍କା ହେରଫେରକୁ ନେଇ ଏକ ମାମଲା ରୁଜୁ ହୋଇଛି, ଯାହା ପୋଲିସର ତଦନ୍ତ ପରିସର ମଧ୍ୟରେ ରହିଛି। ଠିକ୍ ଏହି ସମୟରେ ରୁପ୍ରାରୋଡ ବସ୍ତିରେ ଜାଲ୍ ନୋଟ୍ କାରବାର ଚାଲିଥିବା ଆଲୋଚନା ହେଉଛି। ତେଣୁ ଏହା ଉପରୁ ପରଦା ହଟାଇବା ସହ ଜାଲ୍ ନୋଟ୍ କାରବାର ରୋକିବାକୁ ଦାବି କରିଛନ୍ତି ସଚେତନ ନାଗରିକ। ତେବେ ପ୍ରକୃତରେ ରୁପ୍ରାରୋଡ ବସ୍ତିକୁ ଜାଲ୍ ନୋଟ୍ ଆସିଛି ନାଁ ଏହା ଏକ ଗୁଜବ ସେନେଇ ସ୍ପଷ୍ଟ ହୋଇନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ହେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।