ଓଡିଶା ହକି ଷ୍ଟାର ଦୀପଗ୍ରେସଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଦଳର ସଦସ୍ୟ ଓଡିଶାର ଷ୍ଟାର ଖେଳାଳି ଦୀପ ଗ୍ରେସ ଏକ୍କା ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପଗ୍ରେସଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ସେ ଯୁବ ପିଢ଼ୀଙ୍କ ପାଇଁ ଆଦର୍ଶ ବୋଲି କହିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ସୁନ୍ଦରଗଡର ଏହି ୨୮ ବର୍ଷୀୟା ହକି ଖେଳାଳି ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ସେ ଜାତୀୟ ଦଳର ନିୟମିତ ସଦସ୍ୟ ହୋଇ ରହି ଆସିଛନ୍ତି । ଚଳିତ ବର୍ଷ ସେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଥିଲେ । ୨୦୧୩ ମହିଳା ଏସିଆ କପ, ୨୦୧୬ ଏସିଆନ ଚାମ୍ପିୟନ୍ସ ଟ୍ରଫି, ୨୦୧୭ ଏସିଆ କପ, ୨୦୧୮ ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ରହିଛନ୍ତି । ୨୦୨୨ରେ ଏଫଆଇଏଚ ମହିଳା ଜାତୀୟ କପରେ ସ୍ୱର୍ଣ୍ଣ ବିଜୟୀ ଟିମ ଇଣ୍ଡିଆର ସଦସ୍ୟ ରହିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.