ଭାନପୁର ଦୁର୍ଗା ପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର(ବାଲିପଡା) ଦୁର୍ଗାପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଅଞ୍ଚଳବାସୀ ସମସ୍ତେ ଲାଗି ପଡିଥିବା ବେଳେ ଜୟଦୁର୍ଗା ପୂଜା କମିଟି ନବରାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ଚଲେଇଥିବା ଦେଖିବାକୁ ମିଳିଛି । “ବିଗ ବଜେଟରେ” ସୂବର୍ଣ୍ଣ ଜୟନ୍ତୀ ପାର୍ବଣ ପୂଜା ପାଳିତ ହେବ ବୋଲି ଜଣାପଡିଛି । ପ୍ରତିବର୍ଷ ଭାନପୁର(ବାଲିପଡା) ଦୁର୍ଗାପୂଜା ମାତ୍ର ତିନିଦିନ ପାଳିତ ହେଉଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ନବରାତ୍ରୀ ପୂଜା ଅନୁଷ୍ଠିତ ହେବ ବୋଲି ସ୍ଥିରିକୃତ ହୋଇଥିବା ଜଣାପଡିଛି । ପ୍ରତିବର୍ଷ ମା ଜଗଜ୍ଜନନୀ ଦୁର୍ଗାଙ୍କ ମୂର୍ତ୍ତି ସହିତ ପାର୍ଶ୍ଵ ଦେବତା ଭାବରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ନିର୍ମିତ ହେଉଥିଲା । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଇଁ ଦୁର୍ଗା ମୂର୍ତ୍ତିଙ୍କ ସମେତ ୨୨ ଗୋଟି ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି ନିର୍ମିତ ହୋଇଥିବା ଜଣାପଡିଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜା କମିଟି ସହ ବାଲିପଡା ବଣିକ ସଂଘର ସହେଯାଗୀତାରେ ଅନୁଷ୍ଠିତ ହେଉଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜାର ଅଧ୍ୟକ୍ଷ ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ଉପାଧ୍ୟକ୍ଷ ଭାବରେ ଭାନପୁରର ପୂର୍ବତନ ସମିତି ସଦସ୍ୟ ତପନ ପଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହିଭଳି ଜୟଦୁର୍ଗା ପୂଜା କମିଟିର ସଭାପତି ଭାବରେ ଲୋଚନ ସାହୁ, ଉପସଭାପତି ଭାବରେ ରୋହିତ ସାହୁ, ସାଧାରଣ ସମ୍ପାଦକ ଭାବରେ କୁନ୍ତ ଭୋଇ, ସହସମ୍ପାଦକ ଭାବରେ ଜିତୁ ପଧାନ, ସୁରେନ୍ଦ୍ର ସାହୁ ଓ ସମରେନ୍ଦ୍ର ଭୋଇ(ବବ୍ଲୁ), ପୁଜା ସମ୍ପାଦକ ଭାବରେ ଅଶୋକ ବାରିକ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାଏକ ପ୍ରମୁଖ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ସେହିଭଳି ଭାନପୁର ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜାର ପୂଜା କର୍ତ୍ତା ଭାବରେ ଶ୍ରୀମତି ସବିତା ସାହୁ ଓ ଲୋଚନ ସାହୁ ଦମ୍ପତି ରହିଛନ୍ତି । ପୁଜକ ପଣ୍ଡିତ ଭାବରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ଓ ତାଙ୍କ ସହଯୋଗୀ ଶିବ ତ୍ରିପାଠୀ, ତରୁ ପାଢୀ ଓ ନିକୁଞ୍ଜ ପାଢୀ ଦାଇତ୍ୱରେ ରହିଛନ୍ତି । ପୂଜା ପରିଚାଳନା କମିଟି ଓ ବାଲିପଡା ବଣିକ ସଂଘର ସଦସ୍ୟ ବାଲାଜି, ଅମନ, ମାନସ, ବିଶ୍ୱ, ଆକାଶଙ୍କ ସମେତ ସମସ୍ତ ସଦସ୍ୟ ପୂଜାପାଇଁ ବ୍ୟବସ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ନବରାତ୍ରୀ ପୂଜା ପାଇଁ ଭୋଗ ପ୍ରସ୍ତୁତିରେ ବିଜୟ ଖାଡଙ୍ଗା ଓ ନୀଳ ଖାଡଙ୍କା ରହିଥିବା ସୂଚନା ମିଳିଛି । ଆସନ୍ତା ୧୪ ରେ ସ୍ଥାନୀୟ ସାନ୍ଦୁଲ ନଦୀରୁ ସକାଳ ୧୦ ଘଣ୍ଡା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଭାନପୁର ଗ୍ରାମ ପଞ୍ଚାୟତ ଅଞ୍ଚଳର ୩୦୦୦ ରୁ ଉର୍ଦ୍ଧ୍ୱ ମହିଳା ଭକ୍ତ କଳସ ମୁଣ୍ଡେଇ ପୂଜା ସ୍ଥଳିକୁ ଆସିବେ । କଳସ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଘୁମୁରା, ସଂକୀର୍ତ୍ତନ, ସିଂବାଜା ଓ ଡିଜେ ବାଜାର ବ୍ୟବସ୍ଥା ରହିଥିବା କମିଟି ସୂତ୍ରରୁ ସୂଚନା ମିଳିଛି । ପୁଜା ପାଖେଇ ଆସୁଥିବାରୁ ମୂର୍ତ୍ତି କାରିଗର ମାନେ ତତ୍ପରତାର ସହ ମୂର୍ତ୍ତି ନିର୍ମାଣ କାର୍ଯ୍ୟକୁ ଅନ୍ତିମ ସ୍ପର୍ଶ ଦେଉଥିବା ବେଳେ ଦୁଇ ସପ୍ତାହ ହୋଇଗଲାଣି ସୋନପୁର ଜିଲ୍ଲାର ଟେଣ୍ଟ ପାର୍ଟି ଆସି ସାଜସଜ୍ଜାରେ ଲାଗି ପଡିଛନ୍ତି । ଗୁଜୁରାଟର ପ୍ରସିଦ୍ଧ ସ୍ୱାମୀ ନାରାୟଣ ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯିବ ବୋଲି ପରିଚାଳନା କମିଟିର ସାଧାରଣ ସମ୍ପାଦକ କୁନ୍ତ ଭୋଇ ସୂଚନା ଦେଇଛନ୍ତି । ଆରମ୍ଭ ଦିନରୁ ବିଜୟାଦଶମୀ ଯାଏଁ ୧୦ ଦିନ ବ୍ୟାପୀ ଭବ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ଜୟଦୁର୍ଗା ପୂଜା କମିଟି । ପୂଜା ଆରମ୍ଭ ଦିନ ୧୬/୧୦ ସୋମବାର ଉଷାବତୀ ହରଣ ନାଟକ ରହିଥିବା ବେଳେ ୧୭/୧୦ ରିକି ବାଗଙ୍କ ଦଣ୍ଡନୃତ୍ୟ ରହିଛି । ସେହିଭଳି ୧୮/୧୦ ରେ ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା, ୧୯/୧୦ ରେ ଚୁମକି ମେଲୋଡି, ୨୦/୧୦ ଶୁକ୍ରବାର ଚୁନି ବଗର୍ତ୍ତିଙ୍କ ଦଣ୍ଡନୃତ୍ୟ, ୨୧/୧୦ ଉମାକାନ୍ତ ବାରିକଙ୍କ ମେଲୋଡି, ୨୨/୧୦ କିଚକ ବଧ ନାଟକ ଓ ୨୩/୧୦ ସୋମବାର ରୁକୁସୁନା ମେଲୋଡି, ଓ ୨୪/୧୦ ମଙ୍ଗଳବାର ମିକ୍ସଚର ରାମଲୀଳା ଭଳି ଭବ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । କେବଳ ଭାନପୁର ଗ୍ରାମ ପଞ୍ଚାୟତ ବୋଲି ନୁହଁ କଳାହାଣ୍ଡି ଜିଲ୍ଲା କୋଣ ଅନୁକୋଣରୁ ସମସ୍ତ ଭକ୍ତ ମାନଙ୍କୁ ଜୟଦୁର୍ଗା ପୂଜା କମିଟି ତରଫରୁ ସାଦର ନିମନ୍ତ୍ରଣ କରାଯାଉଛି । ବାଲିପଡା ନବରାତ୍ରୀ ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମିଲ ହୋଇ ମାଙ୍କ ଆଶିଶ ଲାଭ କରନ୍ତୁ ବୋଲି ସୁବର୍ଣ୍ଣ ଜୟନ୍ତି ସମାରୋହର ଅଧ୍ୟକ୍ଷ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସଭାପତି ଲୋଚନ ସାହୁଙ୍କ ସମେତ ଜୟଦୁର୍ଗା ପୂଜା କମିଟି ତରଫରୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.