ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହେଲେ ଆଞ୍ଜେଲୋ ମାଥ୍ୟୁସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଏହା ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅମ୍ପାୟର ଏ ଭଳି ଆଉଟ ଦେଇ ନ ଥିଲେ । ମ୍ୟାଚର ୨୫ତମ ଓଭରରେ ସଦୀରା ସମରବ୍ରିକମା ଆଉଟ ହେବା ପରେ ମାଥ୍ୟୁସ ବ୍ୟାଟିଂ କରିବାକୁ ଆସିଥିଲେ । ସେ ପିଚକୁ ଭୁଲ ହେଲମେଟ ନେଇ କରି ଆସିଥିଲେ । ସେ ଅତିରିକ୍ତ ଖେଳାଳିଙ୍କୁ ଅନ୍ୟ ଏକ ହେଲମେଟ ଆଣିବାକୁ କହିଥିଲେ । ଏଥିପାଇଁ ଅମ୍ପାୟର ଓ ବାଂଲାଦେଶର ଖେଳାଳିମାନଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । ଶାକିବ ଉଲ ହାସନ ଟାଇମ ଆଉଟ ଆବେଦନ କରିଥିଲେ । ଫିଲ୍ଡ ଅମ୍ପାୟର ଆଲୋଚନା କରିବା ପରେ ମାଥ୍ୟୁସ ଆଉଟ ଘୋଷଣା କରିଥିଲେ । ଏହା ପରେ ଶାକିବଙ୍କ ସହ ମାଥ୍ୟୁସ କଥା ହୋଇଥିଲେ । ମାତ୍ର ସେ ଆବେଦନ ଫେରାଇ ନ ଥିଲେ । ମାଥ୍ୟୁସ ରାଗରେ ପ୍ୟାଭିଲିୟନ ଫେରିବା ସହ ହେଲମେଟ ଓ ଗ୍ଲୋଭସ ମଧ୍ୟ ଫିଙ୍ଗି ଦେଇଥିଲେ । ଶ୍ରୀଲଙ୍କା କୋଚ କ୍ରିସ ସିଲଭରଉଡ ମଧ୍ୟ ଏହି ଘଟଣା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମେରିଲିବୋନ କ୍ରିକେଟ କ୍ଲବ ଅନୁସାରେ ଗୋଟିଏ ୱିକେଟ ପଡିବା ମାତ୍ରେ କିମ୍ବା ବ୍ୟାଟ୍ସମ୍ୟାନ ରିଟାୟର ହର୍ଟ ହେଲେ ୩ ମିନିଟ ମଧ୍ୟରେ ପରବର୍ତୀ ବ୍ୟାଟ୍ସମ୍ୟାନଙ୍କୁ ବଲ ସାମ୍ନା କରିବାକୁ ପଡିବ । ଯଦି ଏହା ନ ହୁଏ ତେବେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ଘୋଷିତ କରାଯିବ । ସୋସିଆଲ ମିଡିଆରେ ଏ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.