ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଂଟନ ଶିବିର

ବ୍ଳକସ୍ତରୀୟ ସମାରୋହରେ ୨୫୧ଜଣ ହିତାଧିକାରୀଙ୍କୁ ୨କୋଟି ୩ଲକ୍ଷ ୭୪୦୦ଟଙ୍କା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବ୍ଳକସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଂଟନ ଶିବିର ଆଜି ରାୟଗଡା ସହରର ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶନ୍ନ କୁମାର ପାଣିଗ୍ରାହୀଙ୍କ ପୈାରାହିତ୍ୟରେ ଏବଂ ଜିଲ୍ଳା ଶ୍ରମ ଅଧିକାରିଣୀ ଶ୍ରୀମତି ଯଶ୍ମିନ ଶୁଭଦର୍ଶନୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉପସ୍ଥିତ ଶତାଧିକ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକମାନଙ୍କୁ ଉତ୍ସାହିତ କରିଥିଲେ । ରାୟଗଡା ଜିଲ୍ଳାରେ ପଂଜୀକୃତ ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କ ତାଲିକା ସହ ସେମାନଙ୍କର କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ପାଣିଗ୍ରାହୀ ଉପସ୍ଥାପନା କରିଥିଲେ । ସମ୍ମାନୀତ ଅତିଥିମାନେ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ଓ ଯୋଜନାଗୁଡିକର ଭରପୁର ଲାଭ ଉଠାଇବା ପାଇଁ ଆହ୍ୱାନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମୁଦୁଲି ନିର୍ମାଣ ଶ୍ରମିକଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା, ମୃତ୍ୟୁକାଳନୀ, ଅନ୍ତେଷ୍ଟିକ୍ରିୟା, ବିବାହ, ପ୍ରସୂତିକାଳନୀ ସହାୟତା ଭଳି ଅନେକ ସହାୟତା ଯୋଜନା ପ୍ରଣୟନ କରିଥିବାରୁ ଏହି ଯୋଜନାରେ ମିଳୁଥିବା ସେବାଗୁଡିକ ପାଇବା ପାଇଁ ସିଧାସଳଖ ଅନଲାଇନରେ ପଂଜିକରଣ କରିପାରିଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି କହିବା ସହ ଆଜି ମାଣ୍ଡିଆ ଦିବସ ଉପଲକ୍ଷେ ସମସ୍ତେ ପୁଷ୍ଟିକର ଶସ୍ୟ ମାଣ୍ଡିଆକୁ ନିଜ ଖାଦ୍ୟରେ ସାମିଲ କରିବାକୁ ଆହ୍ୱାନ କରିଥିଲେ । ଏହି ଶିବିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରେ ମୃତ୍ୟୁକାଳିନ ସହାୟତା ବାବଦକୁ ୮୭ଜଣ ହିତାଧିକାରୀଙ୍କୁ ୧କୋଟି ୭୩ଲକ୍ଷ ଟଙ୍କା ବଂଟନ କରାଯାଇଥିବା ବେଳେ ଅନ୍ତେଷ୍ଟିକ୍ରିୟା ନିମନ୍ତେ ୮୭ଜଣଙ୍କୁ ୪ଲକ୍ଷ ୩୫ହଜାର ଟଙ୍କା, ପ୍ରସୂତିକାଳନୀ ସହାୟତାରେ ୧୧ଜଣ ମହିଳାଙ୍କୁ ୧ଲକ୍ଷ ୧୦ହଜାର ଟଙ୍କା, ଶିକ୍ଷା ସହାୟତାରେ ୨୦ଜଣଙ୍କୁ ୧ଲକ୍ଷ ୮୭ହଜାର ୪୦୦ଟଙ୍କା ଏବଂ ବିବାହ ସହାୟତା ବାବଦକୁ ୪୬ ଜଣଙ୍କୁ ୨୨ଲକ୍ଷ ୭୫ହଜାର ଟଙ୍କା ଆକାରରେ ମୋଟ ୨କୋଟି ୩ଲକ୍ଷ ୭୪୦୦ଟଙ୍କାର ଚେକ୍ ଅତିଥିମାନଙ୍କ ଦ୍ୱାରା ବଂଟନ କରାଯାଇଥିଲା । ଏଥିସହ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷରେ ମୃତ ୮ଜଣ ନିର୍ମାଣ ଶ୍ରମିକଙ୍କ ପରିବାରକୁ ୮ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ରାୟଗଡା ଜିଲ୍ଳାରେ ୧୦୪୦୨୭ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଂଟନ କରାଯାଇଥିବା ବେଳେ ୮୨୭୬ଜଣ ଅଣ ସଂଗଠିତ ଶ୍ରମିକଙ୍କୁ ତାଙ୍କର ପରିଚୟ ପତ୍ର ବଂଟନ କରାଯାଇଥିବା ବେଳେ ଆଜି ଶିବିରରେ ୩୫୦ଜଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ର ବଣ୍ଟନ କରାଯାଇଥିବା ନେଇ ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀମତି ସାହୁ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ସଂଜୟ କୁମାର ରଇତ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ, ନିରଂଜନ ଭୂୟାଁ ଏବଂ କାର୍ଯ୍ୟାଳୟ ଷ୍ଟାଫ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାୟଗଡାର ବିଭିନ୍ନ ଶ୍ରମିକ ସଂଗଠନର କାର୍ଯ୍ୟକର୍ତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.