ନିଜ ହତ୍ୟା ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ୧୧ ବର୍ଷର ବାଳକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୋର ମର୍ଡର ହୋଇନାହିଁ । ମୁଁ ଜୀବିତ । ମୋତେ କେହି ହତ୍ୟା କରିନାହାନ୍ତି । ଏପରି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ।  ଏମିତି ଦାବି ନେଇ ଉତ୍ତରପ୍ରଦେଶ ପିଲଭିଟର ଜଣେ ଏଗାର ବର୍ଷର ଶିଶୁ ସୁପ୍ରିମକୋର୍ଟ ଡିଭିଜନାଲ ବେଞ୍ଚରେ ହାଜର ହୋଇଥିଲା । ସୁପ୍ରିମକୋର୍ଟ ଏହି ସ୍ୱତନ୍ତ୍ର ଆବେଦନର ଶୁଣାଣି କରିବାବେଳେ ପିଲାଟି କହିଥିଲା, ମୋର ଜେଜେବାପା’ ଏବଂ ମାମୁଙ୍କୁ ମିଛରେ ମୋର ହତ୍ୟାକାଣ୍ଡ ଅଭିଯୋଗରେ ଫଶା ଯାଇଛି ଏବଂ ଏପରି କାମ ମୋ ବାପା ହିଁ କରିଛନ୍ତି । ଏପରି ଏକ ମାମଲାକୁ ଗ୍ରହଣ କରି ସୁପ୍ରିମକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ ଆବେଦନକାରୀଙ୍କ ପ୍ରତି କିଛି ବି ଜୋର ଜବରଦସ୍ତି କରା ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଆପେକ୍ସ କୋର୍ଟ ଉତ୍ତର ପ୍ରଦେଶ ସରକାର, ପିଲଭିଟ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ନେଉରିଆ ପୋଲିସ ଷ୍ଟେସନକୁ ନୋଟିସ ଜାରି କରିଛନ୍ତି । ପିଲାଟିକୁ ସୁପ୍ରିମକୋର୍ଟରେ ପହଞ୍ଚାଇଥିବା ଓକିଲ କୁଲଦୀପ ଜଉହରି  ମିଡିଆକୁ ସୂଚନା ଦେଇ କହିଛନ୍ତି, ପିଲାଟି ୨୦୧୩ରୁ ତାର ଅଜାଙ୍କ ପାଖରେ ରୁହେ । ଅଜା ତାର ଜଣେ ଚାଷୀ । ତା’ ବାପା ଅଧିକ ଯୌତୁକ ଦାବି କରି ତା’ ମା’ଙ୍କୁ ନିର୍ଦ୍ଦୟ ଭାବେ ପିଟିଥିଲା ଯାହା ଫଳରେ ତାଙ୍କର ମତ୍ୟୁ ଘଟିଥିଲା ।  ସେ ସମୟରେ ତାଙ୍କର ବାପା ଜ୍ୱାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ ଏବଂ ଏ ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ହେଲେ ପୁଅକୁ ନିଜ ପାଖକୁ ନେବା ପାଇଁ ବାପା ଦାବି କରୁଥିବାବେଳେ ଏହାକୁ ନେଇ ଆଇନର ଆଶ୍ରୟ ନେଇଥିଲେ ଅଜା । ଏହି ମାମଲାକୁ ନେଇ ଉଭୟ ମଧ୍ୟରେ ଟଣାଓଟରା ଲାଗିଥିଲା । ଏବେ ପୁଅର ବାପା ଅଭିଯୋଗ କରିଛନ୍ତି ଯେ, ଅଜା ଏବଂ ତାଙ୍କର ୪ ପୁଅ ମିଶି ତାଙ୍କ ପୁଅକୁ ହତ୍ୟା କରି ଦେଇଛନ୍ତି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ପିଲାଟିର ଅଜା ଏବଂ ମାମୁମାନଙ୍କୁ ଗିରଫ କରିଛି । ଜଉହରି କହିଛନ୍ତି, ଅଜା ଏବଂ ତାଙ୍କର ଚାରି ପୁଅ ଏ ନେଇ ଆଲାହାବାଦ ହାଇକୋର୍ଟରେ ଅପିଲ କରିଥିଲେ ହେଲେ କୋର୍ଟ ଏହାକୁ ଡିସମିସ କରି ଦେଇଥିଲେ । ଏହାପରେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.