ଦିଲ୍ଲୀ ମେଟ୍ରୋରେ ରିଲ୍ସ ବନେଇବା ପଡିବ ମହଙ୍ଗା, କଠୋର ହେଲା ଡିଏମଆରସି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦୀର୍ଘଦିନ ପରେ କଠୋର ହେଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) । ଏବେ ମେଟ୍ରୋରେ ରିଲ୍ସ ପ୍ରସ୍ତୁତ କରିବାକୁ ଯାଇ କୌଣସି ବିବାଦୀୟ କାର୍ଯ୍ୟ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଗଣାମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡିଏମଆରସି ମୁଖ୍ୟ ବିକାଶ କୁମାର । ତେବେ ଦିଲ୍ଲୀ ମେଟ୍ରୋରେ ଅନେକ ସମୟରେ ରିଲ୍ସ ତିଆରି କରିବା ବାହାନାରେ କିଛି ନା କିଛି ଅଦ୍ଭୁତ ଓ ବିବାଦୀୟ ଘଟଣା ସାମ୍ନାକୁ ଆସୁଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ମୁଖ୍ୟ ବିକାଶ କୁମାର ଲୋକମାନଙ୍କୁ ଏପରି ‘ଆପତ୍ତିଜନକ’ କାର୍ଯ୍ୟ ନକରିବାକୁ ନିବେଦନ କରିଛନ୍ତି । ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି, ଆଉ ଯଦି କେହି ଏପରି କାର୍ଯ୍ୟ କରୁଥିବାର ସାମ୍ନାକୁ ଆସନ୍ତି ତେବେ ତାଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।ମେଟ୍ରୋରେ ଏଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ଡିଏମଆରସି ଚେଷ୍ଟା କରୁଛି । ମେଟ୍ରୋରେ ଯାତ୍ରା କରୁଥିବା କିଛି ଲୋକ ରିଲ୍ସ ପ୍ରସ୍ତୁତ କରି ଟ୍ରେଣ୍ଡରେ ରହିବାକୁ ଟ୍ରେନ୍ ଭିତରେ କିମ୍ବା ପ୍ଲାଟଫର୍ମରେ ଟ୍ରେଣ୍ଡ ଗୀତରେ ନାଚନ୍ତି ଏବଂ ଅନ୍ୟ ମାନେ ସେମାନଙ୍କ ଭିଡିଓ କରନ୍ତି । ଏହିପରି କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରେମୀ ଯୁଗଳମାନେ ଟ୍ରେନରେ ଅନେକ ଅଜବ କାଣ୍ଡ ଘଟାଉଥିବାର ଦେଖିବାକୁ ମିଳିଥିବା କହିଛନ୍ତି ବିକାଶ କୁମାର । ସେ ଆହୁରି କହିଛନ୍ତି ଯେ, ଏହିପରି ଏକ ଭିଡିଓ ‘ଏକ୍ସ’ ରେ ମଧ୍ୟ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଜଣେ ଯୁବତୀ ବହୁତ ଛୋଟ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ, ଯାହା ପରେ ସର୍ବସାଧାରଣ ସ୍ଥାନରେ ସାଜସଜ୍ଜା ଏବଂ ବ୍ୟକ୍ତିଗତ ସ୍ୱାଧୀନତା ବିଷୟରେ ଏକ ଅନଲାଇନ୍ ବିତର୍କ ଆରମ୍ଭ ହୋଇଥିଲା ।ଡିଏମଆରସି ପରିଚାଳନା ନିର୍ଦ୍ଦେଶକ କୁମାର କହିଛନ୍ତି ଯେ, ”ମେଟ୍ରୋ ପରିସରରେ ସବୁ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜିତ ହୋଇପାରିବେ ନାହିଁ ଏବଂ ଯାତ୍ରୀମାନଙ୍କୁ ଏଭଳି ଘଟଣା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, “ଆମେ ପ୍ରଥମେ ସେହି ଲୋକଙ୍କୁ ପରାମର୍ଶ ଦେବାକୁ ଚେଷ୍ଟା କରୁଛୁ ଯେଉଁମାନେ ମେଟ୍ରୋରେ ଏପରି ଅଜବ କାର୍ଯ୍ୟ ଘଟାଇଥାନ୍ତି । ସମାଜର ହିତ ପାଇଁ ଏପରି ଆପତ୍ତିଜନକ କାର୍ଯ୍ୟକଳାପରେ ଜଡିତ ନହେବା ପାଇଁ ଆମେ ସେହି ଲୋକଙ୍କୁ ନିବେଦନ କରୁଛୁ । ଜଣେ ବ୍ୟକ୍ତି ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ତେଣୁ ଏପରି ଲୋକଙ୍କୁ ଧରିବା ଏବଂ ଯଦି ସେମାନେ ଏପରି ଆପତ୍ତିଜନକ କାର୍ଯ୍ୟକଳାପ ଦେଖନ୍ତି ତେବେ କର୍ତ୍ତୃପକ୍ଷଙ୍କୁ ଜଣାଇବା ନାଗରିକଙ୍କ ଦାୟିତ୍ବ ଅଟେ” ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.