ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ର ଢୋଲ ମୁହୁରୀ ସାଂସ୍କୃତିକ ଦଳ କୁ ଭୁବନେଶ୍ଵରରୁ ଧରି ଆସୁଥିବା ବୋଲେରୋ ଆଜି ଭୋର ୬ ଟା ସମୟରେ ଜାତୀୟ ରାଜପଥ ନଂ ୫୭ ର ମନମୁଣ୍ଡା ବାସୁଦେବପାଲି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱରରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ବଲାଙ୍ଗୀର ଆସୁଥିବା ବୋଲେରୋ (OR -04 G 0776) ମନମୁଣ୍ଡା ନିକଟ ବାସୁଦେବପାଲି ଭାଗବତ ମନ୍ଦିର ସାମନାରେ ଥିବା ଏକ ଇଟା ଗଦା ରେ ଭାରସାମ୍ୟ ହରାଇ ପିଟି ହୋଇ ଦୁର୍ଘଟଣା ହୋଇଥିଲା। ଫଳରେ ବୋଲେରୋ ରେ ଥିବା ପ୍ରାୟ ୧୨ ଜଣ କଳାକାର ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଏହି ସମୟରେ ମନମୁଣ୍ଡା ର ବରିଷ୍ଠ ନାଗରିକ ତଥା ସାମ୍ବାଦିକ ତରଣୀ କୁମାର ମେହେର ପ୍ରାତଃ ଭ୍ରମଣ ରେ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିବା ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ନିକଟସ୍ଥ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେରେ ଭର୍ତ୍ତି କରିବା ସହ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ପୁଇଁତଲାର ଢୋଲମହୁରୀ ସାଂସ୍କୃତିକ ଦଳର ନିର୍ଦ୍ଦେଶକ ନୀଳାଞ୍ଚଳ ନନ୍ଦଙ୍କ ସମେତ ରବି ନାଗ, କେଶବ ଭୋଇ, ଜପ ମୁଗୁରୀ, ସୁଦେଷ୍ଣା ଭୋଇ, ପଲ୍ଲବୀ ସ୍ୱାଇଁ, ଭକ୍ତ ସୁନା ଓ ଲବ ସୁନା ଏହି ଦୁର୍ଘଟଣା ଗ୍ରସ୍ତ ବୋଲେରୋରେ ଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁରର ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଚୌଧୁରୀ ବିଭାର ଓ ସ୍ୱଚ୍ଛ ଭାରତ ସଂଗଠନର ମନୋରଞ୍ଜନ ତ୍ରିପାଠୀଙ୍କ ସମେତ ଉଭୟ ଅନୁଷ୍ଠାନର ସଦସ୍ୟ ମାନେ ମଧ୍ୟ ମୁଖ୍ୟ ଚିକିତ୍ସାଳୟକୁ ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଓ ସହଯୋଗ କରିଥିଲେ।