ଦୁର୍ଘଟଣାରେ ଦମ୍ପତ୍ତି ମୃତ: ୪ଘଣ୍ଟା ଦର୍ଲିମୁଣ୍ଡା ଠାରେ ବିଜୁ ଏକ୍ସପ୍ରେସ ୱେ ଅବରୋଧ କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ଥାନା ମାନିଗୁଡା ଗାଁ ନିକଟରେ ରବିବାର ଟ୍ରକ ଧକ୍କାରେ ଏକ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତି ହେଲେ ଖରିଆର ରୋଡ ଥାନା ଅଁଳାଯୁବା ଗାଁର ଜୟରାମ ମାଝୀ ଓ ଗୁଣମତି ମାଝୀ। କୋମନା ଥାନା ବରନ୍ଦାପାଟ ଗାଁ ସ୍ଥିତ ନିଜର ଶ୍ୱଶୁର ଘରକୁ ଯିବା ବାଟରେ ଏଭଳି ଅଘଟଣ ହୋଇଥିବା ସୂଚନା ରହିଛି। ତେବେ ଆଜି ସୋମବାର ପୂର୍ବାହ୍ନରେ ଉଭୟ ମୃତକଙ୍କ ଶବ ବ୍ୟବଛେଦ ପରେ ଦର୍ଲିମୁଣ୍ଡା ଛକ ଠାରେ ବିଜୁ ଏକ୍ସପ୍ରେସ ୱେକୁ ଗ୍ରାମବାସୀ ଦୀର୍ଘ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ମୃତକ ଦମ୍ପତ୍ତିଙ୍କ ପୁଅ ଝିଅଙ୍କ ସମ୍ପୂର୍ଣ ଶିକ୍ଷା ଓ ଭରଣ ପୋଷଣ ଦାଇତ୍ୱ ଜିଲ୍ଲା ପ୍ରଶାସନ ନେଉ ଏବଂ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ମିଳୁ ବୋଲି ଗ୍ରାମବାସୀ ଦାବୀ କରିଥିଲେ। ଘଟଣା ସ୍ଥଳରେ ନୂଆପଡା ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ଗ୍ରାମବାସୀଙ୍କୁ ବୁଝା ସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରି ଯାଇଥିଲେ। ପ୍ରକାଶ ଯେ, ହରିଶଚନ୍ଦ୍ର ଯୋଜନାରେ ୬ ହଜାର ଓ ରେଡକ୍ରସର ୪୦ ହଜାର ସର୍ବ ମୋଟ ୪୬ ହଜାର ଟଙ୍କା ମୃତ ଦମ୍ପତ୍ତିଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ଅବରୋଧରେ ମୃତକ ଦମ୍ପତ୍ତିଙ୍କ ପରିବାର ବର୍ଗ, ଅଁଳାଯୁବା ଓ ଦର୍ଲିମୁଣ୍ଡା ଗ୍ରାମବାସୀଙ୍କ ସହିତ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ମାଝୀ, ଜିଲ୍ଲା ଉପ ସଭାପତି କମଲେସ ସିଂ ଠାକୁର, ଦର୍ଲିମୁଣ୍ଡା ସରପଞ୍ଚ ସନ୍ଧ୍ୟା ରାଣୀ ମିର୍ଦ୍ଧା, ସମିତି ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏସ.ଡ଼ି.ପି.ଓ ସଞ୍ଜୟ କୁମାର ମଣ୍ଡଳ ଏବଂ ଖରିଆର ରୋଡ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଇନ ବ୍ୟବସ୍ଥା ଉପରେ ନଜର ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.