ଜନଜାତି ଅଧ୍ୟୟନ ପାଇଁ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ପ୍ରସିଦ୍ଧ କେମ୍ବ୍ରିଜ ଡିଜିଟାଲ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅହମ୍ମଦବାଦର ମୋଟେରା ଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଲେଖକ ତଥା ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି। ଜନଜାତି ଅଧ୍ୟୟନ ଓ ଅନ୍ବେଷଣ ପାଇଁ ଚଳିତବର୍ଷ ଶ୍ରୀସାହୁଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଜନଜାତି ଅଧ୍ୟୟନ ବର୍ଗରେ ଚୟନ କରାଯାଇଥିଲା। ଗୁଜରାଟର ଅହମ୍ମଦବାଦ ସହରରେ ଆୟୋଜିତ ଏଇ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ସାମାଜିକ ନ୍ୟାୟକରଣ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାବାଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମହାରାଷ୍ଟ୍ର ଅବକାରୀ କମିଶନର ଡ଼ଃ ବିଜୟ ଏସ ସୂର୍ଯ୍ୟବଂଶୀ, ୟୁରୋ ଏସିଆନ ବିଶ୍ଵବିଦ୍ୟାଳୟର ଭାଇସଚାନ୍ସଲର ଡ଼ଃ ସେବସ୍ତିନିସ ମେଣ୍ଡେସ, ଆମେରିକାନ କାଉନସିଲର ହେଡ ସିପିଙ୍ଗ ଏଣ୍ଡ ଚାଟରିଂ କ୍ୟାପଟନ ଡ଼ଃ ରାଜୀବ ମଜୁମଦେର, ଗୁଜରାଟସ୍ଥ ପଣ୍ଡିତ ଦିନଦୟାଲ ବିଶ୍ଵବିଦ୍ୟାଳୟର ଶକ୍ତି ଅଧ୍ୟୟନ ମୁଖ୍ୟ ଡ଼ଃ କୌଶଲ କିଶୋର, ଗୁଜରାଟସ୍ଥ ଇନ୍ଦ୍ରଶିଳ ବିଶ୍ଵବିଦ୍ୟାଳୟର ପ୍ରଭେଷ୍ଟ ଡ଼ଃ ଧର୍ମେଶ ଜେ ଶାହ ଏବଂ ମହାରାଷ୍ଟ୍ରର କର୍ପୋରେଟ କମିଶନର ଅଜିଜ ଶେଖ ଯୋଗ ଦେଇଥିଲେ। ଏଇ ଅତିଥୀଙ୍କ ଗହଣରେ ଶ୍ରୀ ସାହୁଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଥିଲା। ଶ୍ରୀ ସାହୁ ଦୀର୍ଘ ଦିନ ଧରି ଜନଜାତି ଅନ୍ବେଷଣରେ ବ୍ରତୀ ରହିବା ସହ ପୁସ୍ତକ ରଚନା, ଜାତୀୟ ତଥା ପ୍ରାନ୍ତୀୟ ଆଲୋଚନା ଚକ୍ରରେ ଜନଜାତିଙ୍କ ଉପରେ ବହୁ ସନ୍ଦର୍ଭ ଉପସ୍ଥାପନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଜନଜାତି ଆଧାରିତ ତାଙ୍କ ରଚିତ ଗଳ୍ପ, ଫିଚର ଓ ତଥ୍ୟ ସମ୍ବଳିତ ଆଲେଖ୍ୟ ନିୟମିତ ରାଜ୍ୟର ପ୍ରମୁଖ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି। ସେ ବର୍ତ୍ତମାନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଟିଜିଟି କଳା ଶିକ୍ଷକ ଭାବେ କର୍ମରତ। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ସହ ସୁସାହିତ୍ୟିକ, ଗୀତିକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଦେଶକ ସର୍ବୋପରି ଆଦିବାସୀ ସଂସ୍କୃତି ଗବେଷକ। ସେ ବର୍ତମାନ ସୁଦ୍ଧା ସତରଟି ପୁସ୍ତକ ରଚନା କରିଥିବାବେଳେ ଜଣେ ପ୍ରତିଷ୍ଠିତ ସ୍ତମ୍ଭକାର ଓ କଥାକାର ଭାବେ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ। ସାମାଜିକ ଅସଙ୍ଗତି ଓ ବାସ୍ତବ ଘଟଣାର ଚମକପ୍ରଦ ଅଵତାରଣାର ଅନନ୍ୟ ଦକ୍ଷତାରେ ନିପୁଣ ଶ୍ରୀସାହୁଙ୍କ ପ୍ରତିଟି ଲେଖା ପାଠକଙ୍କୁ ମୋହଗ୍ରସ୍ତ କରାଏ। ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜୀବନକୁ ନେଇ ତାଙ୍କ ରଚିତ ଓ ପ୍ରକାଶିତ ଏକାଧିକ ଉପନ୍ୟାସର ଭାବ, ଭାଷା , ବିଷୟ ଓ ଚିତ୍ରକଳ୍ପ ସବୁବର୍ଗର ପାଠକଙ୍କୁ ପ୍ରଲୁବ୍ଧ କରିପାରିଛି। ଗଳ୍ପରେ ଜନଜାତିର ସଂସ୍କୃତି ଓ ପରମ୍ପରାର ଚମକ ତାଙ୍କୁ ଭିନ୍ନ ଧରଣର ଲେଖକ ଭାବେ ସ୍ବୀକୃତି ଦେଇଛନ୍ତି ଓଡ଼ିଆ ପାଠକପାଠିକା। ଏହି ପ୍ରାପ୍ତି ଖୁବ ସନ୍ତୋଷ ପ୍ରଦାନ କରିବା ସହ ଜନଜାତି ସଂସ୍କୃତିକୁ ନେଇ ଏମିତି ଆଗକୁ ଅନ୍ବେଷଣ ଓ ଅଧ୍ୟୟନ ଜାରି ରହିବ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ସାହୁ କହିଛନ୍ତି। ସମ୍ମାନଜନକ ଡକ୍ଟରେଟ ଉପାଧି ହାସଲ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.