ଅଚଳ ଥିଲା ଟ୍ରାନ୍ସଫର୍ମର, ବକେୟା ଥିଲା ବିଦ୍ୟୁତ ବିଲ; ମୈତ୍ରୀ କମ୍ପାନୀ ସହଯୋଗରେ ବିରବାଫୁଲ ଗାଁ ଲୋକେ ପୁଣି ପାଇଲେ ଆଲୁଅ

ଓଡ଼ିଆ ବାର୍ତ୍ତା /ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିରବାଫୁଲ ଗାଁରେ ଅଛି ବିଜୁଳି ବ୍ୟବସ୍ଥା | ତଥାପି ଗାଁ ଲୋକେ ଅନ୍ଧାରରେ ଦିନ କାଟୁଥିଲେ | ବକେୟା ବିଦ୍ୟୁତ ବିଲ ଜମା ହୋଇ ନ ଥିବା ଏକ ପ୍ରମୁଖ କାରଣ ପାଲଟି ଥିବା ବେଳେ ଟ୍ରାନ୍ସଫର୍ମରରେ ଯାନ୍ତ୍ରିକ ତୃଟି ଆଉ ଏକ ମୁଖ୍ୟ କାରଣ ହୋଇଥିଲା | ଫଳରେ ଗାଁରେ ବିଜୁଳି ନ ଥିବାରୁ ପିଲାମାନେ ପାଠ ପଢିବାରେ ଅସୁବିଧା ଭୋଗୁ ଥିବା ବେଳେ ମୋବାଇଲ ଚାର୍ଜିଙ୍ଗ ପାଇଁ ନିକଟ ଗାଁ ଉପରେ ନିର୍ଭର କରୁଥିଲେ ଗ୍ରାମବାସୀ | ବିଜୁଳି ନ ଥିବାରୁ ପାନୀୟ ଜଳ ପାଇବାରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ | ଏତେ ସବୁ ସମସ୍ୟା ଭିତରେ ଥାଇ ମଧ୍ୟ ଗାଁ ଲୋକେ କାହାଠାରୁ ସାହାଯ୍ୟ ପାଇ ପାରି ନ ଥିଲେ | ଦୀର୍ଘ ମାସ ଧରି ଅଚଳ ଟ୍ରାନ୍ସଫର୍ମର ଏବଂ ବକେୟା ବିଦ୍ୟୁତ ବିଲ ଜମା କରିବାକୁ ଅସମର୍ଥ ଥିବା ଗାଁ ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ସହଯୋଗର ହାତ ବଢ଼େଇଛି ମୈତ୍ରୀ ଇନଫ୍ରାଷ୍ଟ୍ରକଚର ଏଣ୍ଡ ମାଇନିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ | ବିରବାଫୁଲ ଗାଁ ରେ ଥିବା ୩୩ ଜଣ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ ବିଲକୁ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, କାଶୀପୁର କାର୍ଯ୍ୟାଳୟରେ ଜମା କରିଯିବା ସହ ଅଚଳ ଟ୍ରାନ୍ସଫର୍ମର ମରାମତି ପାଇଁ ସାହାଯ୍ୟ ଯୋଗାଇ ଦେଇଥିଲେ ମୈତ୍ରୀ କମ୍ପାନୀ କର୍ତ୍ତ୍ତୃପକ୍ଷ | କମ୍ପାନୀ ଅଧକ୍ଷ ଟି.ଶ୍ରୀନିବାସ ରାଓଙ୍କୁ ଗ୍ରାମବାସୀ ମାନେ ମିଶି ଗାଁ ରେ ବିଜୁଳି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ | କମ୍ପାନୀର ସିଏସଆର ନିୟମ ପାଳନ ପ୍ରକାରେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ତ୍ତ୍ତୃପକ୍ଷ ମାନେ ଗାଁ କୁ ଯାଇ ଲୋକଙ୍କ ସହ ଆଲୋଚନା କରି ସମାଧାନ ଦିଗରେ ପ୍ରତିଶୃତି ଦେଇଥିଲେ | ମୈତ୍ରୀ କମ୍ପାନୀର ଏଭଳି ସହଯୋଗ ଓ ସାହାଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହ ମୈତ୍ରୀ କମ୍ପାନୀ ଅଧ୍ୟକ୍ଷ ଶ୍ରୀ ରାଓଙ୍କୁ କୁ ଧନ୍ୟବାଦ ଜଣାଇଛନ୍ତି | ମୈତ୍ରୀ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ପୃଷ୍ଟି ଦୁରିଆ ଓ ସିଏସଆର ମ୍ୟାନେଜର ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିରବାଫୁଲ ଗ୍ରାମର ୩୩ଜଣ ବିଦ୍ୟୁତ ଉପଭୋକ୍ତାଙ୍କ ବକେୟା ବିଲ ଜମା କରିବାରେ ସହଯୋଗ କରିଥିଲେ | କମ୍ପାନୀର ଏଭଳି ଉନ୍ନତି ମୂଳକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.