ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି।ଏହି ଅବସରରେ ହନୁମାନ ମନ୍ଦିରରେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା ହୋଇଥିବା ବେଳେ ଯାନବାହନରେ ଯାତ୍ରା କରୁଥିବା ଯାତ୍ରୀ ତଥା ପଥାଚାରୀ ମାନଙ୍କୁ ଥଣ୍ଡା ପଣା ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା। ରବିବାର ଏହି ପବିତ୍ର ଦିବସରେ ଭକ୍ତିମୟ ପରିବେଶ ମଧ୍ୟରେ ବ୍ଲକର କାଣିଗୁମା ପଞ୍ଚାୟତ ଅମଠାଗୁଡା ଏବଂ ଶିରିମସ୍କା ବିଦ୍ୟାଳୟ ସ୍ଥିତ ମହାବୀର ହନୁମାନଙ୍କ ପ୍ରତିମାରେ ପୂଜାର୍ଚ୍ଚନା ସହିତ ହନୁମାନ ଚାଳିଶା ପାଠ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମବିକାଶ ଶିକ୍ଷାନିକେତନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଦ୍ୟାଳୟ ସମ୍ମୁଖରେ ପଣା ବଣ୍ଟନ କରାଯାଇଥିଲା। ଏଥିସହିତ ଥୁଆମୂଳ ରାମପୁର ସଦର ମହକୁମାରେ ମଧ୍ୟ ପଣା ବଣ୍ଟନ କରାଯାଇଥିଲା। ବିରଞ୍ଚି ନାରାୟଣ ମୁଣ୍ଡଛିନା, ଋଷିଶୃଙ୍ଗ ପରିଚ୍ଛା, ଆଲୋକ ରଞ୍ଜନ ମୁଣ୍ଡ, ଯଦୁମଣି ରଣା ଏବଂ କାହ୍ନା ପରିଚ୍ଛାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।