ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପ୍ରଥମ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ତଥା କେନ୍ଦ୍ରୀୟ ଦଳ ଗୁଡିକ ଆଦିବାସୀ ଏବଂ ଆଦିବାସୀ ନେତୃତ୍ୱକୁ ଅଣଦେଖା କରିବା ଫଳରେ ନୂଆପଡା ବିଧାନସଭାରେ ସମସ୍ତ ଆଦିବାସୀ ଏକ ହୋଇ ଘାସିରାମ ମାଝୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ରୂପେ ଘୋଷଣା କରିଥିଲେ। ପରେ ଶ୍ରୀ ମାଝୀଙ୍କୁ ନେଇ ବିଭିନ୍ନ ବର୍ଗର ଆଦିବାସୀ ତାଙ୍କର ସମାଜରେ ଆଦିବାସୀଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ସଭା ଆଲୋଚନା କରି ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କର ସମର୍ଥନ କରିବାକୁ ନିଷ୍ପତ୍ତି ନେଲେ। ଏହା ସହିତ ଏକ କେଜି ଚାଉଳ, ୫୦ ଟଙ୍କା, ଗୋଟିଏ ହଳଦୀ ଖଣ୍ଡ ଓ ସମସ୍ତ ସର୍କଲରୁ ସହାୟତା ରାଶି ପ୍ରଦାନ କରି ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମାଝୀଙ୍କୁ ବିଜୟ ମୁକୁଟ ପିନ୍ଧାଇବେ ବୋଲି ଆଦିବାସୀଙ୍କ ଆରାଧ୍ୟ ଦେବତା ବୁଢ଼ାରାଜାଙ୍କ ଠାରେ ସଂକଳ୍ପ ମଧ୍ୟ ନେଲେ। ଶନିବାର ଶ୍ରୀ ମାଝୀଙ୍କର ଶହସ୍ରାଧିକ ସମର୍ଥକ ଓ ଶୁଭେଛୁ ଖରିଆର ରୋଡରୁ ରେଲିରେ ବାହାରି ଉପ ଜିଲ୍ଲପାଳ କାର୍ଯ୍ୟାଳୟକୁ ଆସି ୨୦୨୪ ସାଧାରଣ ନିର୍ବାଚନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହୋମସିଂ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ସୁଧୀର ମିଶ୍ର, ଭକ୍ତ ବନ୍ଧୁ ଧରୁଆ, ସରୋଜିନୀ ମାଝୀ, କୈଳାସ ବାଗ ପ୍ରମୁଖ ଉପସ୍ଥିତ ଥିଲେ।