ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏଥର ସ୍ବାଧୀନ ପ୍ରାର୍ଥୀ ଭାବେ ଦୁର୍ଗମ ବନ୍ଧପାରୀର ପୂର୍ବତନ ସରପଞ୍ଚ ତଥା ନାରୀନେତ୍ରୀ ଫୁଲମେ ମାଝୀ ମଇଦାନକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି। ସେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ବହୁଳ ବନ୍ଧପାରୀ ଗ୍ରାମ ପଞ୍ଚାୟତର ରାଜେନ୍ଦ୍ରପୁର ଗାଁର ହୋଇଥିବାବେଳେ ବିଭିନ୍ନ ସମୟରେ ଲୋକଙ୍କୁ ସାହାଯ୍ୟ କରି ସେ ସମାଜସେବୀ ଭାବେ ମଧ୍ୟ ବେସ ପରିଚିତ। ସେ ଏହି ନିର୍ବାଚନ ମଣ୍ଡଳୀର ଅବହେଳିତ, ନିଷ୍ପେସିତ, କୃଷକ, ଅନୁସୂଚିତ ଜନଜାତି ତଥା ସମସ୍ତ ବର୍ଗର ଭାଇଭଉଣୀ ମାନଙ୍କ ବିକାଶ ନିମନ୍ତେ ସାମ୍ବିଧାନିକ ନ୍ୟାୟ ଏବଂ ନିର୍ବାଚନ ମଣ୍ଡଳୀର ବିକାଶ ନିମନ୍ତେ ସଦାସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି। ସୁଶ୍ରୀ ମାଝୀ ପୂର୍ବରୁ ବନ୍ଧପାରୀ ପଞ୍ଚାୟତରେ ଦୁଇ ଦୁଇ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବାବେଳେ ଗତ ୨୦୨୨ ତ୍ରିସ୍ତରୀୟ ନିର୍ବାଚନରେ ସରପଞ୍ଚ ଭାବେ ବନ୍ଧପାରୀ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା କରି ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିବା ବେଳେ ସେ ଏବେ ବିଧାୟକ ପ୍ରାର୍ଥୀ ଭାବେ ଅଣ୍ଟା ଭିଡିଛନ୍ତି। ଅଞ୍ଚଳରେ ଜନସାଧାରଣଙ୍କ ସହିତ ତାଙ୍କ ଉତ୍ତମ ଜନସମ୍ପର୍କ ଥିବାରୁ ସେ ନିଜର ପ୍ରତିଦ୍ବନ୍ଦ୍ବିଙ୍କୁ କଡ଼ା ଟକ୍କର ଦେବେ ବୋଲି ପ୍ରକାଶ କରିଛନ୍ତି।