ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ ବାରମ୍ବାର ଦାବି ସତ୍ତ୍ୱେ ଗାଁରେ ବୁଥ କେନ୍ଦ୍ର ହେଲାନି ବୋଲି ଭୋଟ ବର୍ଜ୍ଜନ ପାଇଁ ମେଲିବାନ୍ଧି ଥିବା ଦେଖାଯାଇଛି। ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶନିବାର ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ସମେତ କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ ତହସିଲଦାର ନବୀନ କିଶୋର ପାଢ଼ୀ, ଥାନାଧିକାରିଣୀ ରନିତା ପ୍ରଧାନ ସିର୍ଲି ଗୁଡା ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ନିକଟସ୍ଥ ବୁଥରେ ଭୋଟ ଦେବାପାଇଁ ସମସ୍ତ ସୁବିଧା କରାଯିବ ବୋଲି ପ୍ରତିଶୃତି ଦେବା ଓ ପରବର୍ତୀ ନିର୍ବାଚନରେ ବୁଥ କେନ୍ଦ୍ର ହେବ ବୋଲି ବୁଝେଇଥିଲେ। ହେଲେ ଗ୍ରାମବାସି ଜିଦରେ ଅଟଳ ରହିଛନ୍ତି। ପ୍ରକାଶ ଯେ, ସିର୍ଲିଗୁଡା ଗ୍ରାମବାସୀ ସାଧାରଣ ବିଧାନସଭା ନିର୍ବାଚନ ସମୟରେ ନିଜ ଗାଁ ବଦଳରେ ପଞ୍ଚାୟତର ବଙ୍ଗୋମୁଣ୍ଡା (କେନ୍ଦ୍ର-୧) ବୁଥ ନଂ- ୨୦୦ କୁ ଯାଇ ଭୋଟ ପ୍ରଦାନ କରିଆସୁଛନ୍ତି। ତେବେ ସେମାନଙ୍କୁ ଗାଁଠାରୁ ୮.କିମି ଦୂର ବୁଥ୍ କେନ୍ଦ୍ରକୁ ଯିବାକୁ ପଡୁଛି। ଯାହା ଫଳରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଭୋଟ ଦେବା ପାଇଁ ସେଠାକୁ ଯାଇପାରୁ ନାହାଁନ୍ତି। ଏନେଇ ବାରମ୍ବାର ସିର୍ଲିଗୁଡା ଗ୍ରାମବାସୀ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳ କଳାହାଣ୍ଡିଙ୍କ ନିକଟରେ ଦାବି କରି ଆସୁଛନ୍ତି। ଉପଜିଲ୍ଲାପାଳ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମଙ୍କ ପାଇଁ ଯାତାୟତ ସୁବିଧା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ଗ୍ରାମବାସୀ ଜିଦରେ ଅଟଳ ରହିଥିଲେ।