ଶୌଚ ପାଇଁ ଯାଇଥିବା ବେଳେ କଲ୍ୟାଣି ନଦୀ ପାଣିରେ ବୁଡି ନାବାଳକର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର । ଏହି ଥାନା ଅନ୍ତର୍ଗତ ସାହାଜପଡା ଗ୍ରାମରେ ଏକ ନାବାଳକର ନଦୀରେ ବୁଡି ମୃତ୍ୟୁ ଘଟିଛି I ସୂଚନାନୁସାରେ ରାୟଗଡାର ପଦ୍ମନାଭ ସାହୁ ଏବଂ ତାଙ୍କ ଜ୍ୱାଇଁ ରାୟଗଡା ଜିଲ୍ଲା ହାଟ ମୁନିଗୁଡାର ଜୟସେନ ସାହୁକାର ତାଙ୍କ ପରିବାର ସହିତ କୌଣସି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ପଞ୍ଚାୟତର ସାହାଜପଡା ଗାଁର ବନ୍ଧୁ ଘରକୁ ଆସିଥିଲେ I ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଜୟସେନ ସାହୁକାରଙ୍କ ପୁଅ ଦିବାକର ସାହୁକାର (୧୨) ବର୍ଷ ସାହାଜପଡା ଗାଁ ନିକଟସ୍ଥ କଲ୍ୟାଣୀ ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ବହୁ ସମୟ ପର୍ଯ୍ୟନ୍ତ ଫେରି ନଥିଲେ । ଫେରିବା ବିଳମ୍ବ ଯୋଗୁଁ ପରିବାର ଲୋକେ ଖୋଜିବାକୁ ଯାଇଥିଲେ I ଖୋଜାଖୋଜି କରିବା ପରେ ଦିବାକର ନଦୀର ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇଥିଲେ I ଏହାପରେ ମୃତ ଦିବାକରର ଅଜା ପଦ୍ମନାଭ ସାହୁ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I ଖବରପାଇ ବିଜେପୁର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରି ପରେ ବେଦାନ୍ତ ଅମ୍ବୁଲାନ୍ସ ଯୋଗେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I କିନ୍ତୁ ସନ୍ଧ୍ୟା ହୋଇଯାଇଥିବା ଯୋଗୁଁ ଶବ ବ୍ୟବଚ୍ଛେଦ ହୋଇନଥିଲା। ଏନେଇ ଡାକ୍ତରଙ୍କୁ ପଚାରିବାରୁ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଲାଞ୍ଜିଗଡ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି I ଏନେଇ ବିଜେପୁର ଥାନାଧିକାରୀ ଶ୍ରୀ ମାଝୀଙ୍କୁ ପଚାରିବାରୁ ଶିଶୁଟିର ପାଣିରେ ବୁଡି ମୃତ୍ୟୁ ଘଟିଥିବା ଖବରପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଶବ ଜବତ କରିବା ସହିତ କେଶ ନଂ-୬/୨୪ ରେ ଏକ ଅପମୃତ୍ୟୁ ମାମଲା ୠଜୁକରି ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଯାଇଛି । କିନ୍ତୁ ସନ୍ଧ୍ୟା ହୋଇଯାଇଥିବା ଯୋଗୁଁ ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରାଯିବ ବୋଲି ପ୍ରକାଶ କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.