ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଉତ୍କଳ ଯାଦବ ମହାସଭା ଓଡ଼ିଶାର ରାଜ୍ୟ ସଭାପତି ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ମହାସଭାର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ବିଧାନସଭା ନିର୍ବାଚନରେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ପରିସରକୁ ଆସିଥିବା କଣ୍ଟାବାଞ୍ଜି ବିଧାୟକ ତଥା ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ବିଭାଗର ସଭାପତି ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାରୁ ମହାସଭା ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମୟରେ ଶ୍ରୀ ବାଗଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେବାକୁ ଉତ୍କଳ ଯାଦବ ମହାସଭା ପକ୍ଷରୁ ଦାବୀ କରାଯାଇଛି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଯାଦବ ମହାସଭା ମହିଳା ଶାଖା ସଭାନେତ୍ରୀ ଗୀତା ରାଣୀ ଦାସ, କାର୍ଯ୍ୟାଳୟ ସମ୍ପାଦକ ବୁଲେଇ ବେହେରା, ପ୍ରିତିରଞ୍ଜନ କାଠୁଆ ଓ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।