‘ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେବୁ’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ ଚାଲିଛି । ଶପଥ ନେଉଛନ୍ତି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ରାଜ୍ୟର ନବନିର୍ବାଚିତ ବିଧାୟକ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରେ ନବ ନିର୍ବାଚିତ ବିଧାୟକ ପର୍ଯ୍ୟାୟକ୍ରମେ ଶପଥ ଗ୍ରହଣ କରୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ଭାବେ ଶପଥ ନେଇଛନ୍ତି । ପ୍ରଥମଥର ପାଇଁ ବିଜେଡି ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଛି । ତେବେ ବିରୋଧୀ ଦଳ ନେତା କିଏ ହେବ ତାହା ଉପରୁ ଏଯାଏଁ ପରଦା ହଟିନି । ଏଭଳି ସ୍ଥଳେ ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ବଡ ବୟାନ ଦେଇଛନ୍ତି । ଅଶ୍ୱିନୀ କହିଛନ୍ତି, ଆସନ୍ତାକାଲି ଅପରାହ୍ନରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏହି ବୈଠକରେ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ଦେବୁ । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ହେବ । କିଏ ବିରୋଧୀ ଦଳ ନେତା ହେବ ଦଳ ସଭାପତି ଚିନ୍ତା କରିବେ ସେ ନିଜେ ମଧ୍ୟ ହୋଇପାରନ୍ତି ବିରୋଧୀ ଦଳ ନେତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.