ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା ମନୋନୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ଅନୁବନ୍ଧିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଏନ୍‌.ଏସ୍‌.ଏସ୍‌. ୟୁନିଟ୍ ଓ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଜାତୀୟ ସେବା ଯୋଜନା ରାଜ୍ୟ ସ୍ତରୀୟ ପୁରସ୍କାର ୨୦୨୩-୨୪ ପାଇଁ ରାଜ୍ୟର ଶ୍ରେଷ୍ଠ ଏନ୍‌.ଏସ୍‌.ଏସ୍‌. ୟୁନିଟ୍ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମନୋନୀତ ହୋଇଥିବା ବେଳେ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଦୀପକ କୁମାର ବେହେରା ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ ଏନ୍‌.ଏସ୍‌.ଏସ୍‌. ମାଧ୍ୟମରେ ନିଜ ଅଞ୍ଚଳରେ ଅନେକ ସଚେତନତା ମୂଳକ କାର୍ଯ୍ୟ ସହ ସମୟ ସମୟରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳା ଓ ସଫଳତାର ସହ ତୁଳାଇ ଛାତ୍ର ଓ ଯୁବକ ମାନଙ୍କୁ ପ୍ରେରଣା ଦେଇଥାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୩-୨୪ ପର୍ଯ୍ୟନ୍ତ କରିଥିବା ସମସ୍ତ କାର୍ଯ୍ୟକୁ ମାନଦଣ୍ଡ ଭାବରେ ଗ୍ରହଣ କରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଏନ୍‌.ଏସ୍‌.ଏସ୍‌. ସେଲ ତାଙ୍କୁ ଏହି ରାଜ୍ୟ ସ୍ତରୀୟ ପୁରସ୍କାରରେ ସମ୍ମାନୀତ କରିବାର ନିଷ୍ପତ୍ତି ନେଇଛି।

ଏହି ପୁରସ୍କାର ଭୁବନେଶ୍ୱରରେ ଜାତୀୟ ସେବା ଯୋଜନା ଦିବସ ସମାରୋହରେ ପ୍ରଦାନ କରିବାର ସମ୍ଭାବନା ରହିଛି। ତାଙ୍କର ଏହି ସଫଳତା ପାଇଁ ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରାଙ୍କୁ ଜିଲ୍ଲାରେ ଅନେକ ଶୁଭେଚ୍ଛା ବାର୍ତ୍ତା ମିଳିବା ସହ ମାଁ ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, କୂଳସଚିବ ପିତାମ୍ବର ଭୋଇ, ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ, ସହକୂଳଶଚିବ ଡ. ଜୟଦେବ ସାହୁ ତଥା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ଓ ସହକର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆହୁରି ଅତ୍ୟଧିକ ଜନହୀତକାରୀ କାର୍ଯ୍ୟ କରିବା ପାଇଁ ପ୍ରେରଣ ଦେଇଛନ୍ତି। ସାରଳା ପୁରସ୍କାର ପ୍ରାପ୍ତ ଜୟନ୍ତ କୁମାର ବେହେରା ଶୁଭେଚ୍ଛା ଜଣାଇବାର ସହ ସମାଜ ସେବା ପାଇଁ ବ୍ରତୀ ରହିବାକୁ ମତ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ ପ୍ରତାପ ଚନ୍ଦ୍ର ଦାଶ ଓ ଦୀପକ କୁମାର ବେହେରା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.