ସୋନପୁରରେ ଉଦଘାଟିତ ହେଲା ଓମଫେଡର ଡାଏରୀ ପ୍ଲାଣ୍ଟ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସଦର ବ୍ଲକ କଳାପଥର ଠାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୧୪ କୋଟି ୬୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଓମଫେଡ ଡାଏରୀ ପ୍ଲାଣ୍ଟ ରବିବାର ଦିନ ଉଦଘାଟିତ ହୋଇଯାଇଛି। ଏଠାରେ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟା କରଣ ହେବାକୁ ଥିବାବେଳେ ଉପକୃତ ହେବେ ହଜାର ହଜାର ଦୁଗ୍ଧ ଚାଷୀ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ବୌଦ୍ଧ ବିଧାୟକ ତଥା ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମଫେଡର ପରିଚାଳନା ନିର୍ଦ୍ଦେଶକ ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଡାଇରି ପ୍ଲାଣ୍ଟ ହେବା ଫଳରେ ହଜାର ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ସୂଚନା ଦିଆଯାଇଛି। ସେହିପରି ଏହି ଡାଇରି ପ୍ଲାଣ୍ଟରେ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟା କରଣ କରାଯାଇ ପାରିବ ବୋଲି ସୂଚନା ଦିଆଯାଇଛି। ଏଠାରେ ଦୁଗ୍ଧ ଦ୍ରବ୍ୟ ହିସାବ ରେ ପାଶ୍ଚାରାଇଜ ପକେଟ ଦୁଗ୍ଧ, ସାଧା ଦହି, ମିଠା ଦହି, ପନୀର, ଘିଅ, ଲସି, ଖୁଆ, ପେଡା ଆଦି ପ୍ରସ୍ତୁତ କରାଯାଇପାରିବ ବୋଲି ଓମଫେଡ଼ ପକ୍ଷରୁ କୁହାଯାଇଛି। ଏହି ପ୍ଲାଣ୍ଟ ଦ୍ୱାରା ସୋନପୁର, ବଲାଙ୍ଗୀର, ବୌଦ୍ଧ ତଥା ଫୁଲବାଣୀ ଜିଲ୍ଲାର ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଓମଫେଡ ଦୁଗ୍ଧ ଜାତ ଦ୍ରବ୍ୟର ମାର୍କେଟିଙ୍ଗ ନେଟୱାର୍କ ମଜବୁତ ହେବ। ସେହିପରି ଦୁଗ୍ଧ ଚାଷୀମାନେ ବର୍ଷ ସାରା ସେମାନଙ୍କ ବଳକା ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ବିକ୍ରୟ କରି ବେଶ ଉପକୃତ ହେବେ ବୋଲି ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.