ବିଶ୍ଵନାଥପୁର ଠାରେ ବେତାଳ ଭୈରବ ପାଟଖଣ୍ଡାଙ୍କ ଝାମୁଯାତ୍ରା ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଚୀନ ଧର୍ମଧାରା ଓ ଲୋକ ଚେତନାର ଅନନ୍ୟ ପ୍ରତୀକ ବେତାଳ ଭୈରବଙ୍କ ଝାମୁଯାତ୍ରା ପାରମ୍ପାରିକ ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ବେତାଳ ଭୈରବଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଯାଇଥିଲା। ରାଜା ରାଜୁଡାରୁ ଏହି ଯାତ୍ରା ପାଳିତ ହୋଇଆସୁଛି। ପ୍ରଥମେ ଭୈରବ ମନ୍ଦିରରୁ ବାହାରି ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ୭ଟି ନୂଆଁ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ସେଥିରେ ଗାଁର ସଂଗ୍ରୃହୀତ ବିଭିନ୍ନ ପ୍ରକାରର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ପକାଯାଇଥିଲା।

ଗଜା ହୋଇଥିବା ବିହନ ସପ୍ତମ ଦିନ ପଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ କଞ୍ଚା ମାଟିରେ ସେଦିନ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଦେବତା। ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥିଲେ। ସପ୍ତମ ଦିନରେ ପାଟଖଣ୍ଡା ଓ ବେତାଳ ଭୈରବ ନିଆଁରେ ତିଆରି ଖନ୍ଦା (ଝାମି)କୁ ତିନିଥର ପ୍ରଦକ୍ଷଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ପରିଚୟ ଦେଇଥିଲେ।

ଗାଁ ଗୈାନ୍ତିଆ ପ୍ରଦିପ ଘଡ଼େଇ ସମସ୍ତ ଦେବନୀତି ସମୟରେ ଉପସ୍ଥିତ ରହିଥିଲେ। ଯାତ୍ରା ସରିବା ପରେ ମାନସିକ କରିଥିବା ଭକ୍ତମାନେ ପାରା, କୁକୁଡ଼ା ଓ ଛେଳି ଆଦି ବଳି ଦେଇଥିଲେ। ମୂଖ୍ୟ ସେବାୟତ ଜୟରାମ ପ୍ରଧାନୀ,ଅନକିଆ କନ୍ଧ, ବେତାଳ ଭୈରବଙ୍କ ପୂଜକ ନଳୀନ ପ୍ରଧାନୀ,ପାଟଘଣ୍ଡା ପୂଜକ ରବି ପ୍ରଧାନୀ,ବାହୁକ ଫାଲଗୁନୀ ପ୍ରଧାନୀଙ୍କ ଦ୍ଵାର ପୂଜା ସମ୍ପନ୍ନ ହୋଇଥିଲା। ଏଥିରେ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବିଷମକଟକ ବିଧାୟକ ନିଳମାଧବ ହିକାକା, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ବିଶ୍ଵନାଥପୁର ଥାନାଧିକାରୀ ମମତା ହେମ୍ରମ, ବିଜେପି ନେତା ରମେଶ ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପ୍ରମୁଖ ଯୋଗଦେଇ ଦେବତାଙ୍କୁ ଦର୍ଶନ କରିଥିଲେ।

ଝାମୁଯାତ୍ରା କମିଟି ସଭାପତି ମିନକେତନ ଦଳେଇଙ୍କ ନେତୃତ୍ବରେ ଏହି ଝାମୁଯାତ୍ରାକୁ ସଫଳ କରିବା ପାଇଁ ମାଁ ଭୈରବୀ ଯୁବ କେନ୍ଦ୍ର ସଂଘ, ଜୟ ଜଗନ୍ନାଥ ଯୁବକ ସଂଘ, ବଣିକ ସଂଘ ତଥା ବିଶ୍ଵନାଥପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଏହି ଯାତ୍ରାରେ କଳାହାଣ୍ଡି ଜିଲ୍ଲା ତଥା ରାୟଗଡ଼ା ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ସେହିପରି ଲାଞ୍ଜିଗଡ଼, ବଳଭଦ୍ରପୁର ଓ ବନ୍ଦପାରୀରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.