କୃଷି ବିବିଧକରଣରେ ଚାଷୀମାନେ ପାଇବେ ଆର୍ଥିକ ପ୍ରୋତ୍ସାହନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗେଣ୍ଡୁଫୁଲ ଚାଷ କମ୍ ଖର୍ଚ୍ଚ ଏବଂ କମ୍ ସମୟରେ ଭଲ ଲାଭ ଦିଏ । ଏହି ଫସଲ ସ୍ଥାନୀୟ ଜଳବାୟୁ ସହିତ ଉପଯୁକ୍ତ ଏବଂ ଏହାକୁ ଚାଷ କରି ବିକ୍ରୟ କରି ଚାଷୀଙ୍କ ଆୟ ବହୁ ଗୁଣୀତ ହୋଇଥାଏ। କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର ଲାଞ୍ଜିଗଡ,ମୁନିଗୁଡା ଓ ବିଷମ କଟକ ବ୍ଲକର ୮୦ ଜଣ ଚାଷୀ ଏହି ଚାଷ କରି ଗତ ଖରିଫ ଋତୁ ରେ ଲାଭବାନ୍ ହୋଇଛନ୍ତି ।
ଚଳିତ ରବି ଋତୁରେ ଏହି ଅଞ୍ଚଳର ୨୦୦ ଜଣ ଚାଷୀ ଏହି ଗେଣ୍ଡୁଫୁଲକୁ ଚାଷ କରିବେ । ମହାଶକ୍ତି ଫାଉଣ୍ଡେସନ ସହଯୋଗରେ ଲାଞ୍ଜିଗଡ ବ୍ଲକର ଚିରସ୍ରୋତା କୃଷକ ଉତ୍ପାଦକ କମ୍ପାନୀ ମଞ୍ଜି, ସାର, କୀଟ ନାଶକ ଔଷଧ ଓ ଉନ୍ନତ ଚାଷ ପ୍ରଣାଳୀ ପ୍ରଦାନ କରିବ ଏବଂ ଗେଣ୍ଡୁଫୁଲକୁ କ୍ରୟ କରି ଏହାର ପ୍ରକ୍ରିୟାକରଣ କରି ପେଲେଟ ପ୍ରସ୍ତୁତ କରିବ । ଏଫ୍.ପି. ଓ. ଠାରୁ ଓମ୍ନୀ ଏକ୍ଟିଭ୍ କମ୍ପାନୀ ଏହି ପେଲେଟ୍ କୁ କିଣିବ । ଚାଷୀ ମାନେ ଏହି ଚାଷରୁ ଏକର ପିଛା ୨୫,୦୦୦ ରୁ ୩୦,୦୦୦ ଟଙ୍କା ରୋଜଗାର କରିବେ ବୋଲି କୁହାଯାଇଛି ।
ଏହାକୁ ନେଇ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇ ପୁର ପଞ୍ଚାୟତ ଅନ୍ତର୍ଗତ ଯୋଡବନ୍ଧ ଠାରେ ଆୟୋଜିତ ଏକ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନାବାର୍ଡର ରାଜ୍ୟ ମୁଖ୍ୟ ମହା ପ୍ରବନ୍ଧକ ଡ଼. ସୁଧାଂଶୁ କେ. କେ. ମିଶ୍ର ଓ ଓମ୍ନି ଏକ୍ଟିଭ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ମାରିୱାଲା ଏହି ସୁବର୍ଣ୍ଣ ଉତ୍କଳ ନାମକ ପ୍ରକଳ୍ପ କୁ ଲୋକାର୍ପିତ କରି ଗେଣ୍ଡୁଫୁଲ ପ୍ରକ୍ରିୟା କରଣ କେନ୍ଦ୍ର କୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଯୋଗଦେଇ ଏହି ପ୍ରକଳ୍ପର ସହଯୋଗ ଅନୁଷ୍ଠାନ ମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସିଂ ଗେଣ୍ଡୁଫୁଲ ଚାଷୀ ମାନଙ୍କୁ ହେକ୍ଟର ପିଛା ୧୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବା କଥା ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହୁମାନ୍ ଭେନ୍ଚର୍ ର ପରିଚାଳନା ନିର୍ଦ୍ଦେଶକ କାର୍ତ୍ତିକ ଆୟାର, ନାବାର୍ଡ ଡି.ଜି.ଏମ. ସମୀର ସାମନ୍ତରା, ବେଦାନ୍ତ ଆଲୁମିନା ସି.ଏସ.ଆର ମୁଖ୍ୟ ଶିଶିର ତରପଦାର, ନାବାର୍ଡ କଳାହାଣ୍ଡି ଡି. ଡି. ଏମ୍. ଶ୍ରୀ ମହେଶ୍ୱର ଦାସ, ବି.ସି.ସି.ବି ବ୍ୟାଙ୍କ୍ ସିଇଓ ବନଲତା ଧଳ, ୟୁଜିବି ବ୍ୟାଙ୍କ୍ ଆର.ଏମ ସଞ୍ଜୀବ ମିଶ୍ର, ଓ ମଳୟ ମେହେର, ଚଂପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ମହାଶକ୍ତି ଫାଉଣ୍ଡେସନର କୃଷି ବିଶେଷଜ୍ଞ ସ୍ମୃତି ରଞ୍ଜନ ସେଠୀ , ବରିଷ୍ଠ ପରିଚାଳକ ସୁରେଶ ପଟ୍ଟନାୟକ, ଦେବେନ୍ଦ୍ର ମିଶ୍ର, ବାଳକୃଷ୍ଣ ରଥ, ଚିରସ୍ରୋତା ଏଫ ଇ ଓ ର ଏମ ଡି ମହାନ୍ତି କରୁଆଁ ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ଗେଣ୍ଡୁ ଫୁଲ ଚାଷି ମାନଙ୍କୁ ଓମ୍ନିଏକ୍ଟିଭ କମ୍ପାନୀ ତରଫରୁ ୫୦୦୦ ଟଙ୍କା ର ପ୍ରାଥମିକ ପ୍ରୋତ୍ସାହନ ରାଶି ର ଚେକ୍ ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିସିସିବି ବ୍ୟାଙ୍କ୍ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ତରଫରୁ ଚାଷୀ ମାନଙ୍କୁ କିଶାନ କ୍ରେଡିଟ କାର୍ଡ ନାବାର୍ଡ ସି.ଜି.ଏମ. ଡ଼. ମିଶ୍ର ପ୍ରଦାନ କରିଥିଲେ । ମାନସୀ ମହାନ୍ତି, ପ୍ରିୟା ହୋତା, ବନଶ୍ରୀ ଜେନା, ରଞ୍ଜନ ଛତ୍ରିଆ, ପିଟର ପାଣିଗ୍ରାହୀ, ସତ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମ ରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ରୁ ୨୦୦ ରୁ ଉର୍ଦ୍ଧ ଚାଷୀ ଓ ମହିଳା ଯୋଗ ଦେଇଥିଲେ ।