ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟ ସରକାର ଆମ୍ବୁଲାନ୍ସ ସେବା ନେଇ ଚାରିଆଡେ ନିଜର ପ୍ରଚାର କରୁଥିଲେ ସୁଦ୍ଧା ଏହି ସେବା ବାରମ୍ବାର ଫ୍ଲପ ହେଉଛି। ଦିନକୁ ଦିନ ଏହାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଏକ ବିକଟାଳ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ବାଇକରେ ମୃତ ଶରୀର ବୁହା ହୋଇଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କୁମଖାଲ ଗ୍ରାମପଞ୍ଚାୟତ ଅଧିନସ୍ତ ପୁନିଗୁଡା ଗାଁର ନନ୍ଦ ମାଝୀଙ୍କ ଝିଅ ସନ୍ଧ୍ୟା ମାଝୀ (୧୨) କୌଣସି ରୋଗରେ ଆକ୍ରାନ୍ତ ପରେ ତାଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାର ମୃତ୍ୟୁ ହୋଇଥିଲା। ସେହି ଶବକୁ ଘରକୁ ନେବାପାଇଁ ଆମ୍ବୁଲାନ୍ସ ଖୋଜାଖୋଜି କରିବାପରେ ଆମ୍ବୁଲାନ୍ସ ଉପଲବ୍ଧ ନ’ଥିବାରୁ ସେମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେବାପରେ ଓ ଅର୍ଥ ଅଭାବ ଯୋଗୁଁ ବେସରକାରୀ ଆମ୍ବୁଲାନ୍ସ କିମ୍ଵା କୌଣସି ଯାନବାହାନ ନ’ପାଇବାରୁ ଶେଷରେ ନିଜ ବାଇକ ଯୋଗେ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରାୟ ୧୨କିଲୋମିଟର ନିଜ ଝିଅର ମୃତ ଦେହକୁ ଆଣିଥିବା ଜଣାପଡ଼ିଛି। ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଛନ୍ତି।