ନିଖୋଜ ରୋହିତଙ୍କ ଗଳିତ ଶବ ୧୫ ଦିନ ପରେ କୋଟସମଲେଇ ପାହାଡ଼ରୁ ଉଦ୍ଧାର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ନିଖୋଜ ହେବାର ଦୀର୍ଘ ୧୫ ଦିନ ପରେ ସୋନପୁର ଘୋଡାଘାଟପଡ଼ାର ରୋହିତ ନାଏକ (୨୩) ଙ୍କ ଗଳିତ ଶବ ଆଜି ପାତାଳୀ ଶ୍ରୀକ୍ଷେତ୍ର ସ୍ଥିତ କୋଟସମଲେଇ ପାହାଡ଼ ଉପର ସେଲ୍ଫି ପଏଣ୍ଟ ଜାଗା ର ୬୦୦ ଫୁଟ ତଳୁ ଉଦ୍ଧାର କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କିଏ ତାଙ୍କୁ ହତ୍ୟା କରି ପାହାଡ଼ରେ ପକାଇ ଦେଇଛି ନା ସେ ନିଜେ ପାହାଡରୁ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ଏବେବି ଅସ୍ପଷ୍ଟ ରହିଛି। ଗତକାଲି ପାହାଡ଼ ପଟରୁ ଦୁର୍ଗନ୍ଧ ବାହାରୁଥିବା ବିଷୟ ସମ୍ପର୍କୀୟ ଲୋକେ ଖୋଜା ଖୋଜି କଲା ବେଳେ ଜାଣିବା ପରେ ବିର ମହାରାଜ ପୁର ପୁଲିସ ଉପସ୍ଥିତିରେ ପାହାଡ଼ରୁ ଶବ ବାହାର କରାଗଲା l ଓ ପରେ ଶବ ବ୍ୟବଚ୍ଛେଦ ପାଇଁ ସୋନପୁରକୁ ଅଣାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ରୋହିତ ୧୫ ଦିନ ତଳେ ଘରୁ କୁଆଡେ ପାଲେଇଥିବା ବେଳେ ଖୋଜାଖୋଜି ପରେ ସେ ନେଇଥିବା ସ୍କୁଟି ଟି ପାତାଳୀ ଶ୍ରୀକ୍ଷେତ୍ର ଠାରେ ପରଦିନ ମିଳିଥିଲା ବେଳେ ଫୋନଟି ପୋଲିସ ପକ୍ଷରୁ ଟ୍ରାକିଂ କରି ଯୁଯୁମୁରା ଅଞ୍ଚଳରେ ସ୍ୱିଚ୍ ଅଫ ହୋଇଥିବା ଜଣାପଡିଥିଲା। ସେପଟେ ଜଙ୍ଗଲ ବିଭାଗ ଓ ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ସହ ବହୁ ଖୋଜାଖୋଜି ପରେ ମଧ୍ଯ ମିଳି ନ ଥିଲେ ରୋହିତ। ଆଜି ଶବ ବ୍ୟବଚ୍ଛେଦ ପରେ ସୋନପୁର ଶ୍ରୀ ଗୋକର୍ଣେଶ୍ୱର୍ ଶ୍ମଶାନ ଘାଟ ରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ସହର ର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ସ୍ୱର୍ଗୀୟ ରୋହିତ ଙ୍କ ମର ଶରୀର କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.