‘ଦୁଃଖ-ଦୈନ୍ୟରେ ବଢ଼ିଥିବା ଲେଖକମାନେ ହିଁ ସମସ୍ତ ସଫଳ ସୃଷ୍ଟିର ଜନକ ହୋଇଥାନ୍ତି’

‘ବହିଘର-ବିଦ୍ୟାଭାରତୀ’ ପରିସରରେ ‘ଆମ ପ୍ରିୟ ଲେଖକଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଦୁଃଖ-ଦୈନ୍ୟ, ଅଭାବ ଓ ଯାତନା ଭିତରେ ବଢ଼ିଥିବା ଲେଖକମାନେ ହିଁ ପୃଥିବୀରେ ସଫଳ ସାହିତ୍ୟ ସୃଷ୍ଟିର ଜନକ ଭାବରେ ପ୍ରତିଷ୍ଠିତ ହୋଇଛନ୍ତି। ଯେଉଁ ଭାଷାରେ ଶିଶୁସାହିତ୍ୟ ଯେତେ ସମୃଦ୍ଧ ସେ ଭାଷାର ସମୁଦାୟ ସାହିତ୍ୟ ସେତେ ସଫଳ ଓ କାଳଜୟୀ ବୋଲି ‘ବହିଘର-ବିଦ୍ୟାଭାରତୀ’ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ‘ଘରେଘରେ ବହିଘର’ ଓ ‘ସାରାବର୍ଷ ବହିମେଳା’ ଅଭିଯାନର ଅଂଶସ୍ବରୂପ ‘ଆମ ପ୍ରିୟ ଲେଖକଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ବିଶିଷ୍ଟ ସାହିତ୍ୟିକ ‘ଶିଶୁଲେଖା’ର ସଂପାଦକ ଡକ୍ଟର ଦାଶ ବେନହୁର, କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଆବାହକ ବିଶିଷ୍ଟ କଥାକାର ଡକ୍ଟର ଗୌରହରି ଦାସ ଏବଂ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଅଭିରାମ ବିଶ୍ବାଳ ପ୍ରମୁଖ ଅତିଥି ଲେଖକ ଭାବରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ କବି ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅତିଥି ଲେଖକମାନେ ପ୍ରତାପ କୁମାର ନାୟକ, ଭଗବାନ ଦାସ, ବିଜୟ ଦାସ ଅଧିକାରୀ, ଅରୂପାନନ୍ଦ ପାଣିଗ୍ରାହୀ, ପ୍ରତିମା ପଣ୍ଡା, ଡାକ୍ତର ବେଣୁମାଧବ ଶତପଥୀ, ଡକ୍ଟର ସନ୍ତୋଷ ନାୟକ ଓ ବିଦ୍ୟାଧର ସାହୁ ପ୍ରମୁଖ ବିଭିନ୍ନ ଲେଖକ ଓ ଶ୍ରୋତାଙ୍କର ସାହିତ୍ୟ ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। କବି ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ‘ବହିଘର’ ନିର୍ଦ୍ଦେଶିକା ମଞ୍ଜୁଲତା ବଳ, ଦେବାଶିଷ ପଣ୍ଡା, ବିଦ୍ୟାଧର ନାୟକ ଏବଂ କଵି ଜୟନ୍ତ ହଂସରାଜ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.