ଓଡିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମପଞ୍ଚାୟତ ଅଧିନସ୍ଥ ଫପସୀ ସ୍ଥିତ ଜଗମାତା ପବ୍ଲିକ ସ୍କୁଲରୁ ବଡ଼ମାଳ ରେଲୱେ ଷ୍ଟେସନ ରାସ୍ତାର ମରାମତି ପାଇଁ ଗଣ୍ଡପତ୍ରାପାଲି ସରପଞ୍ଚ ମନେସ ସୁନା ବଡ଼ମାଳ ଗୋଳାବାରୁଦ କାରଖାନା କର୍ତ୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି | ଏହି ରାସ୍ତା ଉପରେ ଗଣ୍ଡପତ୍ରାପାଲି, ଧରପଗଡ଼, କୁଇକେଡ଼ା ପଞ୍ଚାୟତର ଛାତ୍ରଛାତ୍ରୀ, ଶ୍ରମିକ, କର୍ମଚାରୀ ତଥା ଜନସାଧାରଣ ନିର୍ଭର କରିଥାନ୍ତି | ତେବେ ରାସ୍ତାର ଦୁରବସ୍ଥା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ରହିବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି | ପୁନଶ୍ଚ ଫପସି ଗେଟ ନିକଟସ୍ଥ କ୍ଷତିଗ୍ରସ୍ତ ପୋଲର ମରାମତି ପାଇଁ ଫପସି ଗେଟରୁ ବଡ଼ମାଳ ଗୋଳାବାରୁଦ କାରଖାନାକୁ ଯାଇଥିବା ରାସ୍ତାକୁ କାରଖାନା କର୍ତ୍ତ୍ତୃପକ୍ଷ ବନ୍ଦ କରିଦେଇଥିବାରୁ ଏହି ରାସ୍ତାରେ ଯା’ଆସ କରୁଥିବା ଲୋକେ ମଧ୍ୟ ଏବେ ଜଗମାତା ପବ୍ଲିକ ସ୍କୁଲ-ରେଲୱେ ଷ୍ଟେସନ ରାସ୍ତାରେ ଯାତାୟତ କରୁଛନ୍ତି | ଫଳତଃ ଏହି ରାସ୍ତାରେ ଭିଡ଼ ବଢ଼ିଥିବାରୁ ବଡ଼ ଦୁର୍ଘଟଣାର ଆଶଙ୍କା ପ୍ରକାଶ ପାଇଛି | ଏହି ପରିସ୍ଥିତିରେ ସିଏସଆର ଫଣ୍ଡରୁ ଜଗମାତା ପବ୍ଲିକ ସ୍କୁଲ- ବଡ଼ମାଳ ରେଲୱେ ଷ୍ଟେସନ ରାସ୍ତାର ମରାମତି କିମ୍ବା ପୁନଃନିର୍ମାଣ କରାଯିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସରପଞ୍ଚ ଶ୍ରୀ ସୁନା ଦାବି ଜଣାଇଛନ୍ତି |