ଶାନ୍ତିକାନନରେ ପାଳିତ ହେଲା କବି ବ୍ରଜନାଥ ରଥଙ୍କ ପୁଣ୍ୟତିଥି

‘ଅଦ୍ବିତୀୟ ମାନବବାଦୀ କବି ଥିଲେ ବ୍ରଜନାଥ ରଥ’, କହିଲେ ଅତିଥି

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଥିତଯଶା କବି ଡକ୍ଟର ବ୍ରଜନାଥ ରଥଙ୍କ ଏକାଦଶ ତମ ପୁଣ୍ୟତିଥି ଶାନ୍ତିକାନନ ପରିସରସ୍ଥ ସଭାଗୃହରେ ପାଳିତ ହୋଇଯାଇଛି।

ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାରସ୍ବତ ସାଧକ ତଥା ଶିକ୍ଷାବିତ୍‌ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନନୀୟ ବକ୍ତା ଭାବେ ଭାଷା ସାହିତ୍ୟ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ସମ୍ମାନନୀୟ ଅତିଥି ଭାବେ କବି କାଳିକିଙ୍କର ଦାସ ଯୋଗ ଦେଇଥିଲେ।

ଅତିଥି ମାନେ ଦିବଂଗତ କବି ବ୍ରଜନାଥ ରଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ କବି ସ୍ବର୍ଗତ ରଥଙ୍କ ଜୀବନାଦର୍ଶ ଓ କଳାକୃତି ଉପରେ ଆଲୋଚନା କରି କହିଥିଲେ ଯେ ତାଙ୍କର ଜୀବନ ଓ ସାହିତ୍ୟ ସାଧନା ଉତ୍ତର ପିଢ଼ିଙ୍କ ପାଇଁ ପ୍ରେରଣା ହୋଇ ରହିବ। ଓଡ଼ିଆ ସାହିତ୍ୟରେ ଜଣେ ଅଦ୍ବିତୀୟ ଦରଦୀ ମାନବବାଦୀ କବି ଭାବେ ସ୍ବର୍ଗତ ରଥ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବେ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ସଭାପତି ଡକ୍ଟର ପାତ୍ର ତାଙ୍କ ଅଭିଭାଷଣରେ କବି ସ୍ବର୍ଗତ ରଥଙ୍କ କବତାର ଛନ୍ଦ, ରସ ଓ ମାନବିକ ଆବେଦନ ଖୁବ ଉଚ୍ଚକୋଟୀର ଥିଲା ବୋଲି କହିଥିଲେ। ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ଅତିଥି ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ସାହିତ୍ୟ ପ୍ରତି କବି ରଥଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାଗଣ କବି ରଥଙ୍କ ରଚିତ କବିତା ପାଠ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବିଙ୍କର ଅନେକ କବିତା ଓ ଅନୁଦିତ କବିତାକୁ ସେମାନେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ। ଏ ନେଇ ପରିଷଦ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ କବି ପରିବାରରୁ ପୁତ୍ର ବ୍ୟୋମନାଥ ରଥ, ପୁତ୍ରବଧୂ ଅନିତା ରଥ, ସାନ ଝିଅ ଓଜସ୍ୱିନୀ ମିଶ୍ର, ସାନ ଜ୍ୱାଇଁ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କବିଙ୍କର ଜ୍ୟେଷ୍ଠ କନ୍ୟା କବି ମନସ୍ୱିନୀ ଦେବୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.