ତହସିଲଦାରଙ୍କ କାର୍ଯ୍ୟାଳୟ ଫାଟକରେ ଧାନ ରଖି ଟୋକନରୁ ବଞ୍ଚିତ ଚାଷୀଙ୍କ ଆନ୍ଦୋଳନ

ଉପ ଜିଲ୍ଲାପାଳଙ୍କ ଗାଡି ତଳେ ଶୋଇ ପଡିଲେ ଚାଷୀ, ଚାଲି ଚାଲି ଗଲେ ଉପ ଜିଲ୍ଲାପାଳ ଓ ତହସିଲଦାର

କଳାହାଣ୍ଡି,୯/୧ : କଲମପୁର ସମବାୟ ସମିତି ଅଧିନସ୍ଥ କଲମପୁର ମଣ୍ଡିରେ ଚାଷୀ ପ୍ରତି ବର୍ଷ ଧାନ ବିକ୍ରି କରି ଆସୁଥିଲେ । ଚଳିତ ବର୍ଷ ମଧ୍ୟ ଚାଷୀ ନିଜ ନିଜ ଧାନ ବିକ୍ରି କରିବା ପାଇଁ ସମସ୍ତ କାଗଜାତ ଦେଇ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । କିନ୍ତୁ ପ୍ରାୟ ୬୨ ଜଣ ଚାଷୀଙ୍କ ତୃଟି ଥିବା ଦର୍ଶାଇ ପୁନଃ ତୃଟିମୁକ୍ତ କରି ପଠାଇବା ପାଇଁ ସମବାୟ ସମିତିକୁ ଫେରି ଆସିଲା । ଚାଷୀ ତୃଟିକୁ ସୁଧାରି ସମବାୟ ସମିତିରେ ଦାଖଲ କରିଥିଲେ । ସମବାୟ ସମିତି ମଧ୍ୟ ଏହାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ଯାଳୟକୁ ପଠାଇ ଦେଇ ଥିଲେ । ଯୋଗାଣ ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ କାଗଜାତ ମାଧ୍ୟମରେ ପ୍ରଦତ୍ତ ତଥ୍ଯର ଯାଞ୍ଚ ପାଇଁ କଲମପୁର ତହସିଲଦାରଙ୍କ କାର୍ଯ୍ୟାଳୟକୁ ପଠାଯାଇ ଥିଲା ।

ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ ସଠିକ ସମୟରେ ପଠାଇବାରେ ବିଳମ୍ବ କରିବା କାରଣରୁ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାରି ଫଳରେ ଧାନ ବିକ୍ରି କରି ନପାରି ଅସହାୟ ହେଉଛନ୍ତି । ଏଥିପାଇଁ ଅସନ୍ତୁଷ୍ଟ ଚାଷୀ ଗତ ୧୫ ଦିନ ତଳେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ ଦାସ ଆନ୍ଦୋଳନ ସ୍ଥାନରେ ପହଞ୍ଚି ୫ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଅଦ୍ୟାବଧି ଏହାର କୌଣସି ସମାଧାନ ହେଉନଥିବାରୁ ଚାଷୀ ଧାନ ବିକ୍ରି କରି ନାହାଁନ୍ତି । ଏଣୁ ଅସନ୍ତୁଷ୍ଟ ଚାଷୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଆନ୍ଦୋଳନ କରୁଥିବା ବେଳେ ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ସାଲତମାମୀ କାର୍ଯ୍ଯରେ ଆସିଥିଲେ । ଆନ୍ଦୋଳନ ରତ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଚାଷୀ ଧାନ ଉଠାଣ ପାଇଁ ଦାବୀ କରିଥିଲେ ।

ଉପଜିଲ୍ଲାପାଳ ଶ୍ରୀ ବେହେରା ନିଜ ଗାଡିରେ ତହସିଲଦାରଙ୍କ କାର୍ଯ୍ୟାଳୟରୁ ବାହାରକୁ ଚାଲି ଯାଉଥିବା ବେଳେ ଅସନ୍ତୁଷ୍ଟ ଚାଷୀ ରାଧେଶ୍ଯାମ ଶର୍ମା ଉପଜିଲ୍ଲାପାଳଙ୍କ ଗାଡି ତଳେ ଶୋଇ ପଡିଥିଲେ । ଅନ୍ଯ ଚାଷୀ ମାନେ ମଧ୍ୟ ଗାଢି ସମ୍ମୁଖରେ ବସି ପଡିଥିଲେ । ଚାଷୀଙ୍କ ରୋଷରୁ ବର୍ତ୍ତିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବେହେରା ତହସିଲଦାର ଦିବାକର ବାଗଙ୍କ ସହ ଚାଲି ଚାଲି ପୁଲିସ ଫାଣ୍ଡି କୁ ଯାଇଥିଲେ । ବର୍ତ୍ତମାନ ଆନ୍ଦୋଳନ ଜାରି ରହିଛି ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.