ରାୟଗଡ ବ୍ଳକ ଉପାନ୍ତ ଅଂଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା

  • ସ୍କୁଲ ଖୋଲା, ପ୍ରଧାନଶିକ୍ଷୟତ୍ରୀ ଅନୁପସ୍ଥିତ

  • ୮ମାସ ହେଲା ବନ୍ଦ ସ୍କୁଲର ଛାତ୍ରଛାତ୍ରୀ ଆସୁନାହାନ୍ତି ସ୍କୁଲ

  • ଭବିଷ୍ୟତ ଅନ୍ଧାର, ପଦକ୍ଷେପ ଶୂନ

ରାୟଗଡ,୨୭/୧: ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ତାକୁ ଯେତେ ସଜାଡିବାକୁ ଶିକ୍ଷା ବିଭାଗ ପ୍ରଚେଷ୍ଟା କରୁଛି, ତାହାର ଉଦାହରଣଗୁଡିକ ଗୋଟିକ ପରେ ଗୋଟିଏ ପଦାକୁ ଆସୁଛି । ଶନିବାର ଦିନ ବିନା କୈାଣସି ସରକାରୀ ଛୁଟି ଥିଲେ ମଧ୍ୟ ବିଦ୍ୟାଳୟକୁ ଯାଇନାହାନ୍ତି ପ୍ରଧାନଶିକ୍ଷୟତ୍ରୀ ଓ ଜଣେ ଶିକ୍ଷୟତ୍ରୀ । ମାତ୍ର ୨ଟି ଛାତ୍ରକୁ ନେଇ ଶିକ୍ଷାଦାନ କରୁଥିଲେ ଜଣେ ଶିକ୍ଷକ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ ଜିଲ୍ଳା ସଦର ବ୍ଳକ ଶେଷଖାଲ ପଂଚାୟତର ହାଟ ଶେଷଖାଲ କ୍ଳଷ୍ଟର ଅନ୍ତର୍ଗତ ଲମ୍ବେସୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୪ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୩ଜଣ ଶିକ୍ଷାଦାନ କରୁଛନ୍ତି । ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ରଂଜୀତା ସାମନ୍ତରାଏ ଓ ଶିକ୍ଷୟତ୍ରୀ ଆମୁଡୁ କୋଣ୍ଡାଗରୀ ଶନିବାର ଦିନ ସ୍କୁଲରେ ବିନା କାରଣରେ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ସହକାରୀ ଶିକ୍ଷକ ସୁଧାକର ଚୈାଧୁରୀ ଦ୍ୱିତୀୟ ଶ୍ରେଣୀର ଅଖିଲ ପୁଆଲା ଓ ତୃତୀୟ ଶ୍ରେଣୀର ଅଭିଳାଷ କିଲାକା ୨ଜଣ ଛାତ୍ରଙ୍କୁ ନେଇ ଶିକ୍ଷାଦାନ କରୁଥିଲେ । ତେବେ ଶନିବାର ଦିନ ବିଦ୍ୟାଳୟ ସକାଳ ସାଢେ ୬ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଖୋଲା ରହିଥିବା ବେଳେ ଦିନ ୧୦ଟା ପର୍ଯ୍ୟନ୍ତ ପ୍ରଧାନଶିକ୍ଷୟତ୍ରୀ ଓ ଶିକ୍ଷୟତ୍ରୀ ଆମୁଡୁଙ୍କ ଦେଖା ମିିଳିନଥିଲା ।

ଶିକ୍ଷକ ଉପସ୍ଥାନ ରେଜିଷ୍ଟ୍ରାରରେ ଏହା ସଂପୂର୍ଣ୍ଣ ପ୍ରମାଣ ଭାବେ ଉଲ୍ଳେଖ ରହିଛି । ଏ ନେଇ ଉକ୍ତ କ୍ଳଷ୍ଟରର ସିଆରସିସି ସୁରେଶ ପାସପୁରେଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣା ସଂପର୍କରେ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରି ବୁଝିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେହିପରି ବ୍ଳକ ଶିକ୍ଷାଧିକାରୀ ରଜନୀକାନ୍ତ ସାମାନ୍ତରାଏଙ୍କୁ ଘଟଣା ସଂପର୍କରେ ଅବଗତ କରାଇବାରୁ ସେ ସଂପୃକ୍ତ ସିଆରସିସିଙ୍କୁ ଡକାଇ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତର ରଖିଛନ୍ତି ।

ତେବେ ରାୟଗଡ ସଦର ମହକୁମାର ଠାରୁ ମାତ୍ର ୨୦କିଲୋମଟିର ଦୂର ପାହାଡିଆ ଅଂଚଳରେ ଥିବା ଏହି ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରନ୍ତ ନିକଟସ୍ଥ ତୋରୁମ,କେଶଡା,କେରାଣ୍ଡି,ଜୁଂଝାମଣି ଓ ଲମ୍ବେଶୁ ଗ୍ରାମର ଛାତ୍ରଛାତ୍ରୀମାନେ । ଲମ୍ବେସୁ ଠାରୁ ୩କିଲୋମଟର ଦୂରରେ ଥିବା ତୋରୁମ ଗ୍ରାମ ଓ ୨କିଲୋମିଟର ଦୂରରେ ଥିବା କେଶଡା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡିକରେ ୧୦ରୁ କମ ଛାତ୍ରଛାତ୍ରୀ ରହିଥିବାରୁ ଗତ ୮ମାସ ତଳେ ବିଦ୍ୟାଳୟଗୁଡିକ ବନ୍ଦ କରାଯାଇ ଲମ୍ବେସୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କୁ ଭର୍ତି କରାଯାଇଥିଲା ।

ତେବେ ପରିତାପର ବିଷୟ ତୋରୁମ ଠାରୁ ଲମ୍ବେସୁ ଗ୍ରାମ ୩କିଲୋମିଟର ଦୂରରେ ଥିବା ସହ ଘାଟି ରାସ୍ତା ହୋଇଥିବାରୁ ଏହି ଗ୍ରାମର ପ୍ରଥମ ଶ୍ରେଣୀର ଛାତ୍ରୀ ଇନ୍ଦୁ କୋଲାକା,ଶ୍ରାବଣୀ କୋଲକା,ଦ୍ୱିତୀୟ ଶ୍ରେଣୀର ନିହାରିକା କୋଲାକା,ତୃତୀୟ ଶ୍ରେଣୀର ଜୋହାନ କଲୋକା, ଓ ପଂଚମ ଶ୍ରେଣୀର ରେଣୁକା କଲୋକା ୫ଜଣ ଏବଂ କେଶଡା ଗ୍ରାମର ୮ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସୁ ନ ଥିବା ବେଳେ ସ୍କୁଲ ବନ୍ଦ ସମୟରେ ଜିଲ୍ଳା ଶିକ୍ଷା ବିଭାଗର ନିର୍ଦ୍ଦେଶ ପ୍ରକାରେ ସମସ୍ତଙ୍କୁ ସରକାରଙ୍କ ନିୟମାନୁସାରେ ବାଟ ଖର୍ଚ୍ଚ ପ୍ରଦାନ କରାଯିବା ସହ ସେମାନଙ୍କୁ ନେବା ଆଣିବା ବନ୍ଦୋବସ୍ତ କରାଯିବା ପାଇଁ କୁହାଯାଇଥିଲା । ତେବେ ବିଦ୍ୟାଳୟ କର୍ତୁପକ୍ଷ ଓ ସିଆରସିସି ଏ ଦିଗରେ କୈାଣସି ପଦକ୍ଷେପ ନ ନେବାରୁ ପିଲାମାନେ ଅଧାରୁ ପାଠପଢା ବନ୍ଦ କରି ଅନ୍ଧାର ଭବିଷ୍ୟତରେ ଦିନ କାଟୁଛନ୍ତି । ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କ ପାଠପଢା ପାଇଁ ଚିନ୍ତାରେ ପଡିଥିବା ବେଳେ କାହାର ଅବହେଳା ପାଇଁ ଦୀର୍ଘ ଦିନ ହେଲା ପିଲାମାନେ ସ୍କୁଲ ବାରଣ୍ଡାରେ ପାଦ ପକାଇ ନାହାନ୍ତି ତାହା ତଦନ୍ତ ସାକ୍ଷେପ । ବର୍ତମାନ ଲମ୍ବେସୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ୫ଜଣ,ଦ୍ୱିତୀୟରେ ୬ଜଣ,ତୃତୀୟରେ ୩ଜଣ,ଚତୁର୍ଥରେ ୩ଜଣ,ପଂଚମରେ ୨ଜଣ ସମୁଦାୟ ପ୍ରାଥମିକ ଶ୍ରେଣୀରେ ୧୯ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ଷଷ୍ଠ ଶ୍ରେଣୀରେ ଜଣେ,ସପ୍ତମରେ ୨ଜଣ ଓ ଅଷ୍ଟମ ଶ୍ରେଣୀରେ ୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ନେଇ ଛାତ୍ରଛାତ୍ରୀ ଉପସ୍ଥାନରେ ଉଲ୍ଳେଖ ରହିଛି ।

ତେବେ ଶନିବାର ଦିନ କାହିଁକି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏବଂ ଅନ୍ୟ ଜଣେ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଥିବା ନେଇ ସହକାରୀ ଶିକ୍ଷକ ଶ୍ରୀ ଚୈାଧୁରୀଙ୍କୁ ପଚାରିବାରୁ ସେମାନେ କାହିଁକି ଆସିନାହାନ୍ତି ମୁଁ କିଛି କହିପାରିବି ନାହିଁ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷେ ଅଧାବାଟରେ ନିଜ ସ୍କୁଟି ପଙ୍କଚର ହୋଇଯିବାରୁ ବିଦ୍ୟାଳୟକୁ ଯିବାରେ ବିଳମ୍ବ ହୋଇଥିଲା ବୋଲି ପ୍ରଧାନଶିକ୍ଷୟତ୍ରୀ ରଂଜୀତା ସାମନ୍ତରାଏ ପ୍ରକାଶ କରିଛନ୍ତି । ବିନା କୈାଣସି କାରଣରେ ସ୍କୁଲରେ ଅନୁପସ୍ଥିତ ରହିବା ଶିକ୍ଷା ବିଭାଗର ନିୟମକୁ ଖୋଲାଖୋଲି ଭାବେ ଉଂଲଘନ ହେଉଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର କଡା ନିର୍ଦ୍ଦେଶ ଓ ୨୦୦୯ ଶିକ୍ଷା ଅଧିକାରକୁ ଏଡାଇ ଦିଆଯାଇ ୨୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳାଯାଉଛି ବୋଲି ବୁଦ୍ଧିଜୀବୀମହଲରେ ଚର୍ଚ୍ଚା ହେଉଛି ।

ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.