୧୪୪ ଧାରା ଜାରି କଲେ ରାୟଗଡ ଉପଜିଲ୍ଳାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ
ରାୟଗଡ,୧୩/୫/୨୦: ଦକ୍ଷିଣ ଭାରତରୁ ଓଡିଶାକୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ଫେରୁଛନ୍ତି ୨୦୦ଜଣ ଓଡିଆ ପ୍ରବାସୀ ଶ୍ରମିକ । ଏହି ଟ୍ରେନଟି ଗୁରୁବାର ସକାଳ ୭ଟା ସମୟରେ ରାୟଗଡ ରେଳ ଷ୍ଟେସନରେ ପଂହଚିବା ପରେ ଗଜପତି, ଗଂଜାମ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ ଏବଂ ରାୟଗଡ ଜିଲ୍ଳାର ବିଭିନ୍ନ ଅଂଚଳକୁ ସ୍ୱତନ୍ତ୍ର ବସ ଯୋଗେ ସମସ୍ତ ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯିବ । ଦକ୍ଷିଣ ଭାରତର କରୋନା ଆକ୍ରାନ୍ତ ରାଜ୍ୟଗୁଡିକରୁ ଏହି ପ୍ରବାସୀ ଓଡିଆ ଭାଇଭଉଣୀମାନେ ଫେରୁଥିବାରୁ ରାୟଗଡ ସହରରେ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡ ଉପଜିଲ୍ଳାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସେକ୍ସନ ୧୪୪ ଅଫ୍ ସିଆରପିସି ଧାରା ଜାରି କରିଛନ୍ତି । ଫଳରେ ପୀତାମହଲ ଠାରୁ ଜେକେପୁର ରାସ୍ତା,ରାୟଗଡ ରେଳବାଇ ଷ୍ଟେସନ ଅଂଚଳ, ଜେଏସକୋ କଲୋନୀ ଠାରୁ ନୂଆ ବସଷ୍ଟାଣ୍ଡ, ଜାତୀୟ ରାଜପଥ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଳାପାଳଙ୍କ ବାସଭବନ ରାସ୍ତା ଠାରୁ ଚାନ୍ଦିଲି ଥାନା ଅଧିନସ୍ଥ ଜେକେପୁର ପର୍ଯ୍ୟନ୍ତ ୧୩ତାରିଖ ମଧ୍ୟରାତ୍ର ୧୨ଟାରୁ ୧୪ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୪୪ଧାରା ବଳବତର ରହିବ । ଏହି ସମୟରେ ଉକ୍ତ ଅଂଚଳଗୁଡିକ ନିଷିଦ୍ଧାଂଚଳ ଘୋଷଣା ହୋଇଥିବାରୁ କେହି ବି ସହରବାସୀ ତଥା ଜନସାଧାରଣ ଚାଲି ଚାଲି କିମ୍ବା ଗାଡି ବ୍ୟବହାର କରି ଯାତାୟାତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ନିଷିଦ୍ଧାଂଚଳରେ ୪ଜଣଙ୍କ ଠାରୁ ଅଧିକା ଜନଗହଳି ନ କରିବା ସହ ରାସ୍ତା ଅବରୋଧ ନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ସମୟରେ ଆମ୍ବୁଲାନ୍ସ, ଜରୁରୀକାଳନୀ ସ୍ୱାସ୍ଥ୍ୟ ସେବା ଗାଡି ଏବଂ ସୀମା ଚେକ ପୋଷ୍ଟରୁ ଆସୁଥିବା ବସଗୁଡିକ ଯାତାୟାତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଇନ ଶୃଙ୍ଖଳା, ଜରୁରୀକାଳନୀ ଏବଂ ପୈାର ସେବା ସହ କୋଭିଡ୍-୧୯ ଡ୍ୟିୁଟିରେ ନିଯୁକ୍ତ ଥିବା ଏକଜୁଟିଭ୍ ମାଜିଷ୍ଟ୍ରେଟ୍,ପୋଲିସ ସୁରକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ବିଭାଗ ଅଧିକାରୀ ସହ ସରକାରୀ କଳ ଅଧିକାରୀମାନଙ୍କୁ ବାଦ ଦିଆଯାଇଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୪୪ ଧାରା ନିୟମ ଲାଗୁ କରାଯାଇଥିବା ବେଳେ ଏହି ନିୟମକୁ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ନୋଟିସରେ ଉଲ୍ଳେଖ କରିଛନ୍ତି । ୧୪୪ ଧାରା ଲାଗୁ କରାଯାଇଥିବା ନେଇ ରାୟଗଡ ଓ ଚାନ୍ଦିଲି ଥାନାର ନିଷିଦ୍ଧାଂଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପ୍ରସାର କରାଯାଇଛି ।