●ଷ୍ଟେସନରେ ହେଲା ସ୍ପଟ୍ ପଞ୍ଜିକରଣ, ପଠାଗଲା ବ୍ଲକ୍ ସ୍ତରୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ
●ଜିଲ୍ଲାରେ ଚିହ୍ନିତ ହେଲା ୩୩ କରୋନା ସଂକ୍ରମିତ, ମୋଟ ସଂଖ୍ୟା ପହଞ୍ଚିଲା ୯୦ ରେ
ବାଲେଶ୍ୱର,୧୩/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଆଜି ବାଲେଶ୍ଵର ଷ୍ଟେସନରେ ୧୧୬୨ ପ୍ରବାସୀ ଓଡିଆ ଦୁଇଟି ସ୍ୱତନ୍ତ୍ର ରେଳ ଯୋଗେ ପହଞ୍ଚିଛନ୍ତି।
ଗୁଜୁରାଟର ଥାଙ୍ଗରରୁ ୭୬୦ ପ୍ରବାସୀ ଓଡିଆଙ୍କୁ ନେଇ ଏକ ଟ୍ରେନ୍ ସକାଳେ ବାଲେଶ୍ୱରରେ ପହଞ୍ଚିଥିଲା। ଅନ୍ୟପକ୍ଷରେ, ବାଲେଶ୍ୱର ଷ୍ଟେସନରେ ପ୍ରବାସୀ ଓଡିଆ ପହଞ୍ଚିବା ପରେ ପ୍ରଥମେ ସ୍କ୍ରିନିଂ କରା ଯାଇଥିଲା। ପରେ ଜିଲ୍ଲାର ୧୨ଟି ବ୍ଲକର ଅଧିକାରୀମାନେ ଷ୍ଟେସନ ପରିସରରେ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲରେ ସେମାନଙ୍କୁ ପଞ୍ଜିକୃତ କରାଇଥିଲେ। ଏହା ପରେ, ୪୦ଟି ସ୍ୱତନ୍ତ୍ର ବସ୍ ମାଧ୍ୟମରେ ସେମାନଙ୍କୁ ନିଜ ଜୋନ୍ ର କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ପଠା ଯାଇଥିଲା।
ପ୍ରଥମ ଟ୍ରେନରେ ବାଲେଶ୍ୱରର ୭୦୦ ରୁ ଅଧିକ ପ୍ରବାସୀ ଏବଂ ମୟୂରଭଞ୍ଜର ୧୬୦ ଜଣ ପ୍ରବାସୀ ଲୋକ ବାଲେଶ୍ୱର ଷ୍ଟେସନ ଠାରେ ଓହ୍ଲାଇ ଥିଲେ। ସେହିଭଳି ମହାରାଷ୍ଟ୍ରର ଥାନେରୁ ୪୦୨ ଜଣ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଅପରାହ୍ନରେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଥିଲେ। ମୋଟ୍ ୧୧୬୨ ପ୍ରବାସୀ ଓଡିଆ ଆଜି ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଛନ୍ତି।
ଏହି ସହସ୍ରାଧିକ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନକୁ ଦୃଷ୍ଟିରେ ରଖି ମଙ୍ଗଳବାର ମଧ୍ୟରାତ୍ରରୁ ଷ୍ଟେସନ ଆଖପାଖ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲା। ବାଲେଶ୍ୱର ଷ୍ଟେସନ ସମେତ ହୋଟେଲ ସୁରଜ୍ ଠାରୁ ଓ.ଟି. ରୋଡ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧ ଜୋନ୍ ଭାବରେ ଘୋଷଣା କରାଯାଇଥିଲା। ଏହି ସମୟରେ ଏହି ଅଞ୍ଚଳର ସମସ୍ତ ଦୋକାନ, ବଜାର ଏବଂ ସାଧାରଣ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା।ଏହାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଗତକାଲି ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରା ଯାଇଥିଲା। ସେହିଭଳି ଗୁରୁବାର ଦିନ ବାଲେଶ୍ୱରକୁ ଆଉ ଦୁଇଟି ଟ୍ରେନ୍ ଆସୁଥିବା ସମ୍ପର୍କରେ ବରିଷ୍ଠ ଆଇଏଏସ୍ ଏବଂ ବାଲେଶ୍ୱର ଜିଲ୍ଲା କୋଭିଡ୍ ୧୯ ସୁପରଭାଇଜର୍ ମଧୁସୂଦନ ପାଢୀ ସୂଚନା ଦେଇଛନ୍ତି।
ଏଣେ ଜିଲ୍ଲାରେ କ୍ରମାଗତ ଭାବେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। ଗତ ୧୨ ତାରିଖରେ ୧୫ ଜଣଙ୍କର ସଂକ୍ରମଣ ଖବର ପାଇବା ପରେ ଆଜି ପୁଣି ୩୩ ନୂଆ ପଜିଟିଭ୍ ବାହାରିଥିବା ଜଣାପଡିଛି। ଜିଲ୍ଲାର ବାହାନଗା ବ୍ଲକରେ ଗୋଟିଏ ଦିନରେ ୨୩ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।ସେହିପରି ଔପଦା ବ୍ଲକରେ ୬ ଜଣ, ନୀଳଗିରିରେ ଜଣେ, ବସ୍ତା ଏବଂ ସୋରୋ ଜୋନ୍ ରେ ଦୁଇ ଜଣ କରି ପଜିଟିଭ୍ ଦେଖିବାକୁ ମିଳିଛି। ଏହି ୩୩ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୨୪ ଜଣ ସୁରଟ୍ ରୁ, ୩ ଜଣ ପଶ୍ଚିମବଙ୍ଗରୁ ଏବଂ ୨ ଜଣ ବାଙ୍ଗାଲୋରରୁ ଫେରିଥିବା ଜଣା ଯାଇଛି। ଏମାନଙ୍କ ଭିତରୁ ଜଣେ ଭିନ୍ନ କଣ୍ଟେନମେଣ୍ଟ୍ ଜୋନରୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗ୍ରାମାଞ୍ଚଳ ଜୋନରୁ ବୋଲି ଜଣାପଡିଛି। ଏହି ୩୩ ଜଣଙ୍କ ପରିଚୟ ମିଳିବା ପରେ ଜିଲ୍ଲାର ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି। ଏ ପର୍ଯ୍ୟନ୍ତ କୋରୋନାରୁ ୨୦ ଜଣ ଲୋକ ସୁସ୍ଥ ହୋଇଥିବା ବେଳେ ସକ୍ରିୟଙ୍କ ସଂଖ୍ୟା ୭୦ରେ ରହିଛି।