ବଲାଙ୍ଗିର,୧୬/୫: କରୋନା ସଂକଟ ଓ ଲକଡାଉନ ମଧ୍ୟରେ କରୁଆଝର ଗାଁରେ ଆଉଏକ ବିପତ୍ତି ଦେଖାଯାଇଛି । ଏହି ଗାଁରେ ଝାଡାବାନ୍ତି ବ୍ୟାପିବାରୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ତେବେ ସ୍ବାସ୍ଥ୍ୟ ବିଭାଗର ତୁରନ୍ତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ସ୍ଥିତି ପୂର୍ବପେକ୍ଷା ସ୍ଥିର ରହିଛି ।
ପ୍ରାପ୍ତ ସୂଚନା ଆଧାରରେ ଦେଓଗାଁ ବ୍ଲକ ବଡ଼ବନ୍ଦ ପଞ୍ଚାୟତର କରୁଆଝର ଗ୍ରାମରେ କିଛି ଦିନ ମଧ୍ୟରେ ଝାଡା ବାନ୍ତିରେ ୭୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ହୋଇ ପଡିଥିଲେ । ଆକ୍ରାନ୍ତ ଙ୍କ ମଧ୍ୟରେ ମହିଳା, ଶିଶୁ ଓ ପୁରୁଷ ସମସ୍ତ ବର୍ଗର ଲୋକ ରହିଛନ୍ତି। ଗୁରୁବାର ରାତ୍ରିରୁ ଏଭଳି ଅଘଟଣ ଦେଖାଦେଇଥିବା ବେଳେ ଆକ୍ରାନ୍ତ ମାନଙ୍କୁ ଗ୍ରାମରେ ଥିବା ବିଦ୍ୟାଳୟ ଘରେ ରଖାଯାଇଥିଲା ।
ତେବେ ଏମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବଲାଙ୍ଗିର ଭିମଭୋଇ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ବଲାଙ୍ଗିରରୁ ଏକ ଡାକ୍ତରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚି ଆକ୍ରାନ୍ତ ମାନଙ୍କ ଚିକିତ୍ସା ଆରମ୍ଭ କରିଥିବା ସୂଚନା ରହିଛି। ଦୁଷିତ ପାଣି ପିଇଥିବା ଯୋଗୁଁ ଏଭଳି ରୋଗ ବ୍ୟାପିଥିବା ଅନୁମାନ କରାଯାଉଥିବା ପ୍ରକାଶ କରିଛନ୍ତି ଡାକ୍ତରୀ ଦଳ ।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in