ସୁବର୍ଣ୍ଣପୁର,୨୭/୫: ଦମ୍ପତ୍ତିଙ୍କ ନୂଆ ଜୀବନ ଆରମ୍ଭର ସ୍ମୃତିକୁ ସାଇତିବା ପାଇଁ ସହଯୋଗ କରୁଥିବା ଫଟୋଗ୍ରାଫର ଆଜି ବେକାର ହୋଇ ବସି ରହିଛନ୍ତି । କ୍ୟାଲେଣ୍ଡରରେ ଲଗ୍ନ ରହିଛି । କିନ୍ତୁ ସହରରେ ସମସ୍ତ ଫଟ୍ରୋଗ୍ରାଫର ହାତ ବାନ୍ଧି ରହିଛନ୍ତି । ବର୍ଷ ଆରମ୍ଭରେ କିଏ କ’ଣ ଦେଖେ କିନ୍ତୁ ଜଣେ ଫଟୋଗ୍ରାଫର ବର୍ଷକରେ କେତୋଟି ଲଗ୍ନ ରହିଛି ତାହାର ହିସାବ ରଖିଥାଏ । କାରଣ ଲଗ୍ନ ଥିବା ତାରିଖରେ କାମ କରି ବର୍ଷସାରା ପରିବାର ମୁହଁରେ ଦାନା ଯୋଗାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ସେମାନଙ୍କ ହାତକୁ ଲକ୍ଡାଉନ୍ କରିଦେଇଛି । ଫଳରେ ଚିନ୍ତାରେ ବସିଛନ୍ତି ଜିଲ୍ଲାର ଶହେରୁ ଊର୍ଦ୍ଧ୍ୱ ଫଟୋଗ୍ରାଫର । ଜିଲ୍ଲାର ବହୁ ଯୁବକ ଏହାକୁ ବୃତ୍ତିଭାବେ ବାଛି ନେଇଛନ୍ତି । ଅଧୁନିକ ଯୁଗରେ ଗ୍ରାହକମାନଙ୍କୁ ଭଲ ଭଲ ଡିଜାଇନ୍ ଫଟୋ ଏବଂ ଭିଡିଓ ଯୋଗାଇ ଦେବାକୁ ବହୁ ଫଟୋଗ୍ରାଫର ବ୍ୟାଙ୍କରୁ ଋଣ କରି କ୍ୟାମେରା ସମେତ ଅନ୍ୟାନ୍ୟ ଫଟୋଗ୍ରାଫି ସଂପର୍କିତ ଆନୁଷଙ୍ଗିକ କିଣିଛନ୍ତି । ଏବେ କରୋନା ଯୋଗୁଁ ସାମାଜିକ କାମ ଉପରେ ସରକାରୀ କଟକଣା ଜାରି ରହିଛି । ଫଳରେ କ୍ୟାଲେଣ୍ଡରରେ ଲଗ୍ନ ଥିବା ସତ୍ତ୍ବେ ବିବାହ ଋତୁରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ବିବାହ ଋତୁ ଉପରେ ନିର୍ଭର କରୁଥିବା ଫଟୋ ଗ୍ରାଫରମାନେ କେମିତି ପରିବାର ପ୍ରତିପୋଷଣ କରିବେ ଏବଂ ବ୍ୟାଙ୍କ ଋଣ ସୁଝିବେ ସେନେଇ ଚିନ୍ତରେ ପଡି ଯାଇଛନ୍ତି । ସେହିପରି ଲକ୍ଡାଉନ୍ ଯୋଗୁଁ ଷ୍ଟୁଡିଓ ମଧ୍ୟ ବନ୍ଦ ରହିଛି । ଏହିପରି ସ୍ଥିତି କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ମଧ୍ୟ କହି ହେଉନି । ସରକାର ସମସ୍ତ ବର୍ଗର ଲୋକଙ୍କ ପାଇଁ ସହଯୋଗର ହାତ ବଢ଼ାଉଥିବା ବେଳେ ଫଟୋଗ୍ରାଫରଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇ ନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯଦି କ୍ଷୁଦ୍ର ବ୍ୟବସାୟକୁ ବଂଚି ରହିବା ପାଇଁ ସରକାର କମ୍ ସୁଧରେ ଋଣ ଯୋଗାଇ ଦିଅନ୍ତେ ତେବେ ମଧ୍ୟ ସମସ୍ୟାର ସାମାନ୍ୟ ସମାଧାନ ହୋଇପାରନ୍ତା ।