ପୁରୀ,୨୩/୬: ଶ୍ରୀମନ୍ଦିର ଇତିହାସରେ ପ୍ରଥମଥର ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଅନେକ ବାଧା ବିଘ୍ନ ପ୍ରତିବନ୍ଧକ ଓ ପ୍ରତୀକ୍ଷାର ଅବସାନ ଘଟାଇ ଶେଷରେ ବଡଦାଣ୍ଡରେ ତିନି ରଥ ଗଡି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି । ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ମନା କରିଥିବାବେଳେ ଗତକାଲି ଶେଷ ମୁହୂର୍ତ୍ତରେ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ । କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ କରାଯାଇଥିଲା । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି ମହାପ୍ରଭୂଙ୍କ ଘୋଷଯାତ୍ରା ନୀତି । ଆଜି ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପଛକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡିଥିଲା । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୧ଟା ୫୫ ମିନିଟରେ ଗଡିଥିଲା ଓ ସନ୍ଧ୍ୟା ୫ଟା ୧୦ରେ ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଥିଲା । ଏହା ପୂର୍ବରୁ ଦର୍ପଦଳନ ଓ ତାଳଧ୍ବଜ ରଥ ସରଧାବାଲିରେ ପହଞ୍ଚିସାରିଥିଲେ । ସେବାୟତ ଏବଂ ପୋଲିସମାନେ ମିଶି ତିନି ରଥକୁ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି । ଆସନ୍ତାକାଲି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।